ପାଟନା: ଏଠାକାର ବାତାବରଣ ଭଲ ନୁହେଁ, ବିଦେଶରେ ଚାକିରି କରିବା ସହିତ ଘରଦ୍ବାର କରି ରହିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ‘ଆର୍ଜେଡି’ର ଜଣେ ନେତାଙ୍କ ଟିପ୍ପଣୀ ଏବେ ଅନ୍ଲାଇନ୍ରେ ଖୁବ୍ ପ୍ରସାରଣ ହେଉଛି।
‘ଆର୍ଜେଡି’ର ଉକ୍ତ ନେତାଜଣକ ହେଉଛନ୍ତି ଦଳର ଜାତୀୟ ସାଧାରଣ ସମ୍ପାଦକ ଅବ୍ଦୁଲ୍ବାରି ସିଦ୍ଦିକ୍ବି। ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଅବିଚାର ବା ପକ୍ଷପାତ କରାଯାଉଛି ବୋଲି ଅଭିଯୋଗ କରିବା ସମୟରେ ସେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଗତ ସପ୍ତାହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେ କହୁଥିବା ଶୁଣାଯାଉଛି: ଦେଶର ବାତାବରଣ କଥା ଦର୍ଶାଇବା ଲାଗି ମୁଁ ବ୍ୟକ୍ତିଗତ ଦୃଷ୍ଟାନ୍ତଟିଏ ଉପସ୍ଥାପନ କରିବାକୁ ଇଚ୍ଛା କରୁଛି। ମୋର ପୁଅଟିଏ ଓ ଝିଅଟିଏ ଅଛନ୍ତି। ପୁଅ ହାର୍ଭାର୍ଡରେ ପଢୁଛି ଓ ଝିଅ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସ୍ରେ ଡିଗ୍ରି ହାସଲ କରିଛି। ବିଦେଶରେ ଚାକିରି କରିବା ଲାଗି ମୁଁ ସେମାନଙ୍କୁ କହିଛି। ଯଦି ସମ୍ଭବ ହେଉଛି, ସେମାନେ ସେଠାକାର ନାଗରିକତ୍ବ ମଧ୍ୟ ଗ୍ରହଣ କରନ୍ତୁ ବୋଲି କହିଛି।
ପୂର୍ବରୁ ବିହାରରେ ମନ୍ତ୍ରୀ ଥିବା ସିଦ୍ଦିକ୍ବି ଆହୁରି ମଧ୍ୟ କହିଛନ୍ତି, ତଥାପି ମୁଁ ଭାରତରେ ବସବାସ କରୁଛି କହି ପିଲାଏ ଅବିଶ୍ବାସ ବ୍ୟକ୍ତ କରି କହିବାରୁ ମୁଁ ସେମାନଙ୍କୁ କହିଲି, ସେମାନେ ଏଠାରେ ଚଳି ପାରିବେ ନାହିଁ।
‘ଆର୍ଜେଡି’ ନେତା ଏ ଦୃଷ୍ଟାନ୍ତ ‘ମୁସଲ୍ମାନ୍’ କି, ‘ବିଜେପି’ ସରକାରଙ୍କୁ ଦର୍ଶାଇ ଦେଲେ, ତାହା ଜଣାପଡୁ ନ ଥିଲେ ମଧ୍ୟ ‘ବିଜେପି’ର ବିହାର ୟୁନିଟ୍ ତାଙ୍କର ଏତାଦୃଶ ଟିପ୍ପଣୀକୁ ସମାଲୋଚନା କରି ପରାମର୍ଶ ଦେଇଛି ଯେ, ସେ ପାକିସ୍ତାନକୁ ଚାଲିଯିବା ଉଚିତ।
ରାଜ୍ୟ ‘ବିଜେପି’ ମୁଖପାତ୍ର ନିଖିଳ ଆନନ୍ଦ କହିଛନ୍ତି, ସିଦ୍ଦିକ୍ବିଙ୍କ ଟିପ୍ପଣୀ ଭାରତ-ବିରୋଧୀ। ଯଦି ଏଠାରେ ତାଙ୍କ ଶ୍ବାସରୁଦ୍ଧ ହୋଇଯିବା ପରି ଲାଗୁଛି ତେବେ ଜଣେ ରାଜନେତା ହିସାବରେ ସେ ପାଉଥିବା ସମସ୍ତ ସୁବିଧାସୁଯୋଗ ଛାଡ଼ି ପାକିସ୍ତାନ ଚାଲିଯିବା ଉଚିତ।
ସିଦ୍ଦିକ୍ବି ହେଉଛନ୍ତି ‘ଆର୍ଜେଡି’ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଘନିଷ୍ଠ ସହଯୋଗୀ ଏବଂ ତାଙ୍କ ଟିପ୍ପଣୀ ତାଙ୍କ ଦଳର ମୁସଲ୍ମାନ୍ ତୁଷ୍ଟୀକରଣ ସଂସ୍କୃତିର ପ୍ରତିଫଳନ କରୁଛି।