ଚୀନ କାରଖାନାରେ ଅଗ୍ନିକାଣ୍ଡ, ୩୬ ମୃତ

ବେଜିଂ : କେନ୍ଦ୍ରୀୟ ଚୀନର ହେନାନ୍ ପ୍ରଦେଶର ଆନୟାଙ୍ଗ ସହରରେ ଥିବା କାସିନ୍ଦା କାରଖାନାରେ ହୋଇଥିବା ଅଗ୍ନିକାଣ୍ଡରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଚୀନର ସରକାର ନିୟନ୍ତ୍ରିତ ଗଣମାଧ୍ୟମ କହିଛି । ସମ୍ବାଦ ଏଜେନ୍ସି ସିନ୍ହୁଆ ରିପୋର୍ଟ କରିଛି ଯେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା।

ପରେ ଚୀନ ଟିଭି (ସିସିଟିଭି) କହିଥିଲା ଯେ  ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଅଗ୍ନିକାଣ୍ଡ କର୍ମଚାରୀଙ୍କ ଅସାବଧାନତାରୁ ଇଲେକ୍ଟ୍ରିକ୍ ଓ୍ବେଲଡିଂରୁ ବ୍ୟାପିଥିଲା ।

ଏହି ଅଗ୍ନିକାଣ୍ଡ ଖବର ପାଇବା ପରେ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ସେହିପରି ନଗର ପ୍ରଶାସନ, ଉଦ୍ଧାରକାରୀ ଦଳ ଘଟଣାସ୍ଥ​ଳରେ ପହଞ୍ଚି ଫସି ରହିଥିବା ଉଦ୍ଧାର କରିଥିଲେ ।

ସିସିଟିଭି ଆହୁରି ମଧ୍ୟ ସୂଚନା ଦେଇଛି ଯେ ସ୍ଥାନୀୟ ସମୟ ରାତି ପ୍ରାୟ ୧୧ ଟା ସୁଦ୍ଧା ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକମାନେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପକ୍ଷରେ କର୍ମଚାରୀମାନେ ସୁରକ୍ଷା ନିୟମ ପାଳନ କରିନଥିବାରୁ ଏହି ନିଆଁ ବ୍ୟାପିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ଏହାକୁ ଭିତ୍ତିକରି ପୁଲିସ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଛି ।

କାସିନ୍ଦା କାରଖାନାରେ ଶିଳ୍ପ ଉତ୍ପାଦ ଓ ରାସାୟନିକ ସାମଗ୍ରୀ  ଉତ୍ପାଦନ ହୋଇଥାଏ । ରାସାୟନିକ ସାମଗ୍ରୀ ଯୋଗୁଁ ନିଆଁ ବ୍ୟାପିଯାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର