ଟୋଲ୍ ପ୍ଲାଜାର ସବୁ ଲେନ୍ ହେବ ଫାସଟ୍ୟାଗ୍ ଲେନ୍, ଡିସେମ୍ବର ୧ରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଜାତୀୟ ରାଜପଥର ଟୋଲ୍ ଫି ପ୍ଲାଜାର ସବୁ ଲେନ୍ ଫାସ୍ଟ୍ୟାଗ୍ ଲେନ୍ରେ ପରିଣତ ହେବ। ଆସନ୍ତା ଡିସେମ୍ବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜାତୀୟ ରାଜପଥ ଶୁଳ୍କ ( ନିର୍ଦ୍ଧାରଣ ଏବଂ ସଂଗ୍ରହ) ନିୟମ, ୨୦୦୮ଅନୁଯାୟୀ ଟୋଲ୍ ପ୍ଲାଜାରେ ଥିବା ଫାସଟ୍ୟାଗ୍ ଲେନ୍ ଗୁଡ଼ିକରେ କେବଳ ଫାସଟ୍ୟାଗ୍ ଲାଗିଥିବା ଗାଡ଼ିଗୁଡ଼ିକ ଯା’ଆସ କରିଥାନ୍ତି। ଫାସଟ୍ୟାଗ୍ ଲାଗି ନଥିବା ଗାଡ଼ି ଗୁଡ଼ିକ ଯଦି ଏହି ଲେନ୍ରେ ଦେଇ ଯା’ଆସ କରନ୍ତି ତା’ହେଲେ ସେମାନଙ୍କଠାରୁ ଦୁଇଗୁଣ ଶୁଳ୍କ ଆଦାୟର ବ୍ୟବସ୍ଥା ନିୟମରେ ରହିଛି। ଜାତୀୟ ରାଜପଥର ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମନ୍ତ୍ରାଳୟ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦେଇଛି। ତେବେ ଗୋଟିଏ ଲେନ୍କୁ ହାଇବ୍ରିଡ୍ ଲେନ୍ ଭାବେ ରଖାଯିବ ଯେଉଁଠି ଉଭୟ ଫାସଟ୍ୟାଗ୍ ଲାଗିଥିବା ଏବଂ ଲାଗି ନଥିବା ଗାଡ଼ି ଯାଆସ କରିବ। କିନ୍ତୁ ସେହି ଲେନ୍କୁ ଏକ ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫାସଟ୍ୟାଗ୍ ଲେନ୍ରେ ପରିଣତ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ଏନଏଚଏଆଇକୁ ନିର୍ଦ୍ଦେଶ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଫାସଟ୍ୟାଗ୍ ଗୁଡ଼ିକର ଗାଡ଼ିର ୱିଣ୍ଡସ୍କ୍ରିନରେ ଲାଗିଥାଏ। ଏଗୁଡ଼ିକ ରେଡିଓ ଫ୍ରିକ୍ବେନ୍ସି ଆଇଡେଣ୍ଟିଫିକେସନ (ଆରଏଫଆଇଡି) ପ୍ରଯୁକ୍ତିରେ ନିର୍ମାଣ ହୋଇଛି। ଯେଉଁ ଗାଡ଼ିରେ ଫାସଟ୍ୟାଗ୍ ଲାଗିଥାଏ ସେଗୁଡ଼ିକୁ ଟୋଲ ପ୍ଲାଜାରେ ଶୁଳ୍କ ଦେବା ପାଇଁ ଅଟକିବାକୁ ପଡ଼ି ନଥାଏ। ଡିଜିଟାଲ ମାଧ୍ୟମରେ ସେମାନେ ଶୁଳ୍କ ପ୍ରଦାନ କରିଥାନ୍ତି। ଫାସଟ୍ୟାଗ୍ ଗାଡ଼ି ଟୋଲ ଦେଇ ଯାତାୟାତ କରିବା ସମୟରେ ମାଲିକଙ୍କ ପ୍ରିପେଡ୍ କିମ୍ବା ସଞ୍ଚୟ ଆକାଉଣ୍ଟରୁ ଶୁଳ୍କ ଆପେ ପୈଠ ହୋଇଯାଇଥାଏ। କିନ୍ତୁ ଏବେ ଦେଖାଯାଉଛି ଫାସଟ୍ୟାଗ୍ ଲାଗି ନଥିବା ଗାଡ଼ିଗୁଡ଼ିକ ମଧ୍ୟ ଫାସଟ୍ୟାଗ ଲେନ୍ରେ ଯାଉଛନ୍ତି। ସେମାନେ ନଗଦ ଅର୍ଥରେ ଶୁଳ୍କ ପ୍ରଦାନ ଲାଗି କାଉଣ୍ଟରରେ ଅଧିକ ସମୟ ଠିଆ ହେଉଛନ୍ତି। ଏଥିଯୋଗୁ ଫାସଟ୍ୟାଗ୍ ଲେନ୍ରେ ବି ଗାଡ଼ି ଭିଡ଼ ହେଉଛି। ଫଳରେ ଫାସଟ୍ୟାଗ୍ ଲଗାଇବାର ମୌଳିକ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ଡିଜିଟାଲ ଉପାୟରେ ଶୁଳ୍କ ପ୍ରଦାନ ଯେଉଁ ମାତ୍ରାରେ ବୃଦ୍ଧି ପାଇବା କଥା ତାହା ବି ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନଏଚଏଆଇକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛି। ଉକ୍ତ ନିଷ୍ପତ୍ତିକୁ ଉତ୍ତମଭାବେ କାର୍ଯ୍ୟକାରୀ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ ଫାସଟ୍ୟାଗର ଉପଲବ୍ଧତାକୁ ନିଶ୍ଚିତ କରିବା ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ କହିଛି।