ତାଲିବାନଙ୍କଦ୍ବାରା ନିହତ ଖବର ପ୍ରଘଟ ହେବା ପରେ ‘ଟୋଲୋ ନିଉଜ୍‌’ ରିପୋର୍ଟର୍ ଟୁଇଟ୍‌ କଲେ, ମୁଁ ଜୀବିତ

ନୂଆଦିଲ୍ଲୀ: ‘ଟୋଲୋ ନିଉଜ୍‌’ର ଜଣେ ସମ୍ବାଦଦାତାଙ୍କୁ ତାଲିବ୍‌ମାନେ ହତ୍ୟା କରିଥିବା ଖବର ବିଶ୍ବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମ୍ପୃକ୍ତ ସାମ୍ବାଦିକଜଣକ ଜୀବିତ ଥିବା କଥା ନିଜେ ଟୁଇଟ୍‌ କରି ଘୋ‌ଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଫଗାନିସ୍ତାନର ପ୍ରଥମ ସ୍ବାଧୀନ ନିଉଜ୍‌ ଚାନେଲ୍‌ ‘ଟୋଲୋ ନିଉଜ୍’ ମଧ୍ୟ ତା’ର କାବୁଲ୍‌ ରିପୋର୍ଟର୍ ଜିଆର୍‌ ଖାଁ ୟାଦ୍‌ଙ୍କର ମୃତ୍ୟୁ ସମ୍ବାଦ ସୁନିଶ୍ଚିତ ବୋଲି ପ୍ରସାର କରିଥିଲା।

ଜିଆର ଲେଖିଛନ୍ତି କି, କାବୁଲ୍‌ର ନିଉ ସିଟିରେ ରିପୋର୍ଟିଙ୍ଗ୍ କରୁଥିବା ବେଳେ ତାଲିବ୍‌ମା‌ନଙ୍କ ଠାରୁ ସେ ମାଡ଼ ଖାଇଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, କ୍ୟାମେରା, ବୈଷୟିକ ଉପକରଣ ଏବଂ ମୋ ବ୍ୟକ୍ତିଗତ ମୋବାଇଲ୍‌ ଫୋନ୍ ହରଣଚାଳ କରିନିଆଯାଇଛି।

Image Courtesy of Navabharat Times

ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମ କରିଥିବା ରିପୋର୍ଟକୁ ଭ୍ରାନ୍ତ ବୋଲି ଉଲ୍ଲେଖ କରି ସେ କହିଛନ୍ତି, ମୋର ମୃତ୍ୟୁ ହୋଇଛି ବୋଲି କେତେକ ବ୍ୟକ୍ତ ପ୍ରଘଟ କରିଥିବା ସମ୍ବାଦ ଅସତ୍ୟ ଅଟେ। ତାଲିବ୍‌ମାନେ ଗୋଟାଏ ‘ଆର୍ମୋର୍‌ଡ୍‌ ଲ୍ୟାଣ୍ଡ୍‌ କ୍ରୁଜ୍‌ର୍‌’ରୁ ଓହ୍ଲାଇ ବନ୍ଧୁକ ମୁନରେ ମତେ ଆଘାତ ଦେଇଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସେମାନେ ହଠାତ୍‌ କାହିଁକି ଏଭଳି କାଣ୍ଡ କରି ମତେ ଆକ୍ରମଣ କଲେ ତାହା ମୁଁ ତଥାପି ଜାଣି ପାରୁନି। ଏ ପ୍ରସଙ୍ଗ ତାଲିବାନ୍‌ ନେତାମାନଙ୍କୁ ଅବଗତ କରାଇ ଦିଆଯାଇଛି; କିନ୍ତୁ, ଆକ୍ରମଣକାରୀମାନେ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି। ଏହା ହେଉଛି ଭାବପରିପ୍ରକାଶର ସ୍ବାଧୀନତା ପ୍ରତି ସାଙ୍ଘାତିକ ବିପତ୍ତି।

ସମ୍ବନ୍ଧିତ ଖବର