ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ, ପତ୍ନୀଙ୍କୁ କରୋନା ସଂକ୍ରମଣ

ନ୍ୟୁୟର୍କ : ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍‌ ଓ ତାଙ୍କ ପତ୍ନୀ ରୀଟା ଓ୍ଵିଲସନ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାଯାଇଛି । ଏ ସଂପର୍କରେ ନିଜେ ଟମ ଟ୍ଵିଟ କରି ସୂଚନା ଦେଇଛନ୍ତି ।
ନିଜ ଟ୍ଵିଟରେ ହାଙ୍କସ୍‌ ଲେଖିଛନ୍ତି ଯେ ସେ ଓ ରୀଟା ଅଷ୍ଟ୍ରେଲିଆରେ ଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ସେ କରୋନା ପଜିଟିଭ ଥିବା ଜଣାଯାଇଛି । ଏହା ପରେ ଆବଶ୍ୟକ ମେଡିକାଲ ପ୍ରଟୋକଲ ପାଳନ କରିବାକୁ ହେବ ବୋଲି ସେ ଲେଖିଛନ୍ତି । ତାଙ୍କ ମୁଖପାତ୍ର ମଧ୍ୟ ଏହି ଖବରକୁ ସ୍ୱୀକାର କରିଛନ୍ତି ।

 

କରୋନା ଭାଇରସକୁ ବୁଧବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଛି । ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି ଓ ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ସବୁ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୪୩୭୩ ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୦୦ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୩୧ରେ ପହଞ୍ଚିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦ ହଜାର ଟପିଯାଇଛି । ଏହି ଦେଶରେ ମୃତ୍ୟୁସଂଖ୍ୟା ୩୬ ପ୍ରତିଶତ ବୃଦ୍ଧି ପାଇ ୬୩୧ରେ ପହଞ୍ଚିଛିି । ସାରା ଭାରତରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି । ଆଜି ରାଜସ୍ଥାନ ଓ ଦିଲ୍ଲୀରୁ ୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର