କରୋନା ଭାଇରସ : ହସପିଟାଲରୁ ଛାଡ଼ ପାଇଲେ ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ, ପତ୍ନୀ ରିଟା

ନ୍ୟୁୟର୍କ : କରୋନା ଭାଇରସ ସଂକ୍ରମିତ ପ୍ରସିଦ୍ଧ ଅଭିନେତା ଟମ ହାଙ୍କସ୍‌ ଓ ତାଙ୍କ ପତ୍ନୀ ରୀଟା ଓ୍ଵିଲସନ ଆଜି ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ହସପିଟାଲରୁ ଛାଡ଼ ପାଇଛନ୍ତି । ତେବେ ଉଭୟ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ନିଜ ଘରେ ଏକୁଟିଆ ରହିବେ । ଏ ସଂପର୍କରେ ସିଏନଏନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଗତ ୧୨ ତାରିଖରେ ନିଜେ ଟମ କରୋନା ସଂକ୍ରମିତ ହୋଇଥିବା ଟ୍ଵିଟ କରି ସୂଚନା ଦେଇଥିଲେ । ସେ ସଂକ୍ରମିତ ହେବା ପରେ କ୍ୱିନ୍ସଲାଣ୍ଡର ହସପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ୟପକ୍ଷରେ ଆଉ ଜଣେ ହଲିଉଡ ତାରକା ଏଡ୍ରିସ ଏଲବା କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ।
କରୋନା ଭାଇରସକୁ ଗତ ୧୧ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିଲା । ଏହି ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି ଓ ଏହା କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ସବୁ କ୍ଷେତ୍ରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
ସାରା ବିଶ୍ୱରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୮୦ ହଜାର ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୭ ହଜାର ଟପିଯାଇଛି । ସାରା ଭାରତରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୬ ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୪୭୭ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୮୭ରେ ପହଞ୍ଚିଛି । ୟୁରୋପୀୟ ଦେଶ ଇଟାଲୀରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୭୯୮୦ ଓ ମୃତ୍ୟୁସଂଖ୍ୟା ୨୧୫୮ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର