ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଭାରତ ବନ୍ଦ

ନୂଆଦିଲ୍ଳୀ: ଗତବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତାକାଲି ଏହି ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୂରା ଦେଶରେ ସଡ଼କ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।

କୃଷକ ନେତା ଦର୍ଶନ ପାଲ କହିଛନ୍ତି କି ‘ଏହି ଆନ୍ଦୋଳନକୁ ସଫଳ କରିବାକୁ ଆମେ ଦେଶବାସୀଙ୍କୁ ଅନୁରୋଧ କରୁଛୁ’ । ଅନ୍ୟପଟେ କୃଷକ ନେତା ବୁଟାସିଂ ବୁର୍ଜଗିଲ କହିଛନ୍ତି କି ଆନ୍ଦୋଳନକୁ ୪ ମାସ ପୂରିଲାଣି । ସରକାର ଏ ନେଇ କିଛି ବିଚାର କରୁଥିବା ଭଳି ମନେ ହେଉନାହିଁ। ତେଣୁ ଆମେ ଭାରତ ବନ୍ଦର ଡାକରା ଦେଇଛୁ । ଏହି ଭାରତ ବନ୍ଦ ପାଳନ ବେଳେ ଶାନ୍ତି ବଜାୟ ରଖିବାକୁ ସେ କୃଷକମାନଙ୍କୁ କହିଛନ୍ତି । ଏହାସହ ମାର୍ଚ୍ଚ ୨୮ ତାରିଖ ଦିନ ହୋଲିକା ଦହନ ଅବସରରେ କୃଷି ଆଇନର ପ୍ରତୀକାତ୍ମକ ଛବି ଦହନ କରାଯିବ ବୋଲି ସେ କହିଛନ୍ତି ।

କାଲି ଭାରତବନ୍ଦକୁ କୃଷକ ସଂଗଠନ ସହ ଅନ୍ୟାନ୍ୟ ସଂଗଠନମାନେ ସମର୍ଥନ ଜଣାଇଥିବା ବେଳେ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ସରକାର ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ରେଡ୍ଡି କହିଛନ୍ତି କି ଏହି ବନ୍ଦ ପାଳନ ଦିନ ୧ ଟା ପର୍ଯ୍ୟନ୍ତ ପାଳନ କରାଯିବ । ଦିନ ୧ ଟା ପରେ ସବୁ ସରକାରୀ ସଂସ୍ଥାନ ଖୋଲା ରହିବ ଓ ଆରଟିସି ବସ୍ ଚାଲିବ ।
ସମ୍ବନ୍ଧିତ ଖବର