ଡେରାଡୁନ୍‌ରେ ବର୍ଷା ଓ ବନ୍ୟା; ଉଦ୍ଧାରକାର୍ଯ୍ୟରେ ଲାଗିଲେ ଏନ୍‌ଡିଆର୍‌ଏଫ୍‌ ଓ ସେନା

ଡେରାଡୁନ୍‌: ଉତରାଖଣ୍ଡର ଡେରାଡୁନରେ ପ୍ରକୃତିର କୋପ। ଡେରାଡୁନର ମୋରି ତହସିଲ୍‌ ଅଂଚଳରେ ଆଜି ହୋଇଛି ବାଦଲ ଫଟା ବର୍ଷା। ଆଉ ବାଦଲ ଫଟା ବର୍ଷା ପରେ ପରେ ମାଡ଼ି ଆସିଛି ପ୍ରଳୟଙ୍କରୀ ବନ୍ୟା। ପାଣିର ପ୍ରଖର ସ୍ରୋତ ଆଗରେ ଯାହା କିଛି ପଡ଼ିଛି ସବୁ କିଛିକୁ ଧୋଇ ନେଇଯାଇଛି। ସେପଟେ ବନ୍ୟାର ଏପରି ଘଟଣା ପରେ ଅନେକ ଅଂଚଳ ଜଳବନ୍ଦୀ ହୋଇଛି। ଉଦ୍ଧାର କାମରେ ସେନା ଓ ଏନଡିଆରଏଫକୁ ମୁତୟନ କରିଛନ୍ତି ଉତ୍ତରାଖଣ୍ଡ ସରକାର।

ସେପଟେ ଜଳପ୍ରଳୟର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶରୁ। ସତେ ଯେମିତି ପ୍ରକୃତି ନେଉଛି ପ୍ରତିଶୋଧ। ଚାରିଆଡେ ଖାଲି ପାଣି ଆଉ ପାଣି। ହିମାଚଳର ମଣ୍ଡି ଜିଲ୍ଳାର ବିଜ୍‌ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ନଦୀ ପଠାରେ ଥିବା ଶିବ ମନ୍ଦିର ଭିତରେ ପାଣି ପଶିଯାଇଛି। ମନ୍ଦିର ପରିସରରେ ଥିବା ଏକ ବଡ ଶିବ ଲିଙ୍ଗ ଏବଂ ବୃଷଭ ବନ୍ୟା ପାଣିରେ ବୁଡ଼ି ରହିଛି।

ତେବେ ହିମାଚଳ ପ୍ରଦେଶରେ କିଛି ଦିନ ହେଲା ପ୍ରବଳ ବର୍ଷା ଯୋଗୁଁ ଏପରି ବନ୍ୟା ପରିସ୍ଥିତି ଲାଗି ରହିଛି। ଅନ୍ୟପଟେ ଭୁସ୍ଖଳନ ପ୍ରଭାବରେ ରାଜପଥରେ ସୃଷ୍ଟି ହୋଇଛି ଏକ ବିଶାଳକାୟ ଗର୍ତ ଏବଂ ଲହଡ଼ି ମାରୁଛି ବନ୍ୟାପାଣି। ରାଜପଥ ଉପରେ ଦୁଇ ତିନି ଫୁଟର ପାଣି ଲହଡ଼ି ମାରୁଥିବାର ଦେଖିବାକୁ ମିଳିଛି। ଫଳରେ ମନାଲି ଏବଂ କୁଲୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଜପଥରେ ଭୁସ୍ଖଳନ ଘଟିଥିବାରୁ ଭାରିଯାନ ଯାତାୟତ ପାଇଁ ବାରଣ କରାଯାଇଛି। ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର