ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ହିଂସାତ୍ମକ କରିବା ଏବଂ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ଉଦ୍ଦେଶ୍ୟରେ ‘ଟୁଲ୍କିଟ୍’ ଅପ୍ଲୋଡ କରିବା ମାମଲାରେ ଗିରଫ ହୋଇଥିବା ଜଳବାୟୁ କର୍ମୀ ଦିଶା ରବିଙ୍କୁ ଆଜି ୩ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀ କୋର୍ଟ। ଗତ ସପ୍ତାହରେ ଗିରଫ ହୋଇଥିବା ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ ୫ ଦିନ ରିମାଣ୍ଡ୍ରେ ନେଇଥିଲା। ତେବେ ଦିଲ୍ଲୀ ପୁଲିସ ଆଜି ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଇବାପରେ ତାଙ୍କୁ ଅଧିକ ୩ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଓକିଲ ଇରଫାନ୍ ଅହମଦ କୋର୍ଟରେ କହିଥିଲେ ଯେ, ଦିଶା ରବି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି ଏବଂ ବିଭ୍ରାନ୍ତ କରିବାକୁ ପ୍ରୟାସ କରୁଛନ୍ତି। ତେଣୁ ଅଧିକ ତଦନ୍ତ ପାଇଁ ସେମାନେ ଦିଶା ରବିଙ୍କୁ ୩ ଦିନ ପାଇଁ ବିଚାରବିଭାଗୀୟ ହାଜତ ନେବାକୁ ଚାହୁଛନ୍ତି ବୋଲି ସେ କହିଥିଲେ। ଚାଷୀ ଆନ୍ଦୋଳନ ମାମଲାରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ବଦନାମ କରିବାପାଇଁ ପ୍ରସ୍ତୁତ ହୋଇଥିବା ଟୁଲ୍କିଟ୍ ଦସ୍ତାବିଜ ସ୍ବିଡେନ୍ ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ଦ୍ବାରା ପ୍ରଥମେ ଟ୍ବିଟ୍ କରାଯାଇଥିଲା। କିନ୍ତୁ ପରେ ଏହାକୁ ଡିଲିଟ୍ କରାଯାଇଥିଲା। ଏହି ଟୁଲକିଟ୍ ଦସ୍ତାବିଜକୁ ଜଳବାୟୁ କର୍ମୀ ଦିଶା ରବି ଏବଂ ଅନ୍ୟ ୨ଜଣ କର୍ମୀ ନିକିତା ଜାକବ୍ ଏବଂ ଶାନ୍ତନୁ ମୁଲୁକ୍ ପ୍ରସ୍ତୁତ କରିଥିଲେ।
/sambad/media/post_attachments/wp-content/uploads/2021/02/toolkit-1.jpg)
ତଦନ୍ତ ବିବରଣୀ ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଟୁଲ୍କିଟ୍ ମାମଲାର ବିସ୍ତୃତ ତଦନ୍ତ ବିବରଣୀ ଗଣମାଧ୍ୟମରେ ପ୍ରସାରଣ ନକରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି ଗଣମାଧ୍ୟମ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ମଧ୍ୟ ଏହି ନିର୍ଦ୍ଦେଶର ଯେଭଳି ଉଲ୍ଲଂଘନ ନହେବ ସେଥିପାଇଁ ଅଧିକ ଯତ୍ନବାନ ହେବା ସହ ତଦନ୍ତ ବିବରଣୀ କେଉଁଠି ଲିକ୍ ନକରିବା ଉଚିତ୍ ବୋଲି ହାଇକୋର୍ଟ କହିଛନ୍ତି। ଜଳବାୟୁ କର୍ମୀ ଦିଶା ରବିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ପ୍ରକ୍ରିୟାକୁ ଗଣମାଧ୍ୟମରେ ଯେଭଳି ପ୍ରସାରଣ କରାଯାଇଛି ତାହାକୁ ବିରୋଧ କରି ରୁଜୁ ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପ୍ରଘଟ ହୋଇଥିବା କୌଣସି ତଦନ୍ତ ପ୍ରକ୍ରିୟାର ବିଷୟବସ୍ତୁକୁ ପ୍ରସାରଣ କରିବା ଅନୁଚିତ। ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି କୋର୍ଟ କହିଛନ୍ତି। ତଦନ୍ତ ପ୍ରକ୍ରିୟାର କୌଣସି ଦସ୍ତାବିଜ ପୁଲିସ ଲିକ୍ ନକରିବା ଉଚିତ୍ ବୋଲି ଦାବି କରି ଦିଶା ରବି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/disha-ravi-21613733518314.jpg)