ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ରାଜନାଥ ସିଂହଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ସୋମବାର ଲୋକସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଏବଂ ଜୁନ୍‌ ୪ ତାରିଖରେ ହେବାକୁ ଥିବା ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତୃତ୍ତ୍ୱାଧୀନ ଏନଡିଏକୁ ବଡ଼ ବିଜୟ ମିଳିବ ବୋଲି ଆକଳନ କରାଯାଇଥିବା ଏକଜିଟ୍‌ ପୋଲ୍‌ ପରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଏହି ପୂର୍ବାନୁମାନକୁ ପ୍ରତ୍ୟାଖ୍ୟାନ କରି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର କ୍ରମାଗତ ବୈଠକର ସମୀକ୍ଷା କରାଯାଇଥିବା ଜଣାପଡ଼ିଛି।

ସାତଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ଉପରେ ଆଲୋଚନା ଓ ସମୀକ୍ଷା କରିବା ସହ ଆସନ୍ତାକାଲି ହେବାକୁ ଥିବା ଭୋଟ ଗଣତି ଉପରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ବୈଠକ ପରେ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେ କହିଛନ୍ତି ଯେ ଏହି ବୈଠକରେ ସାତଟି ପର୍ଯ୍ୟାୟ ମତଦାନ ସମୟରେ ଦେଖାଯାଇଥିବା ମତଦାନ ଢାଞ୍ଚା ଉପରେ ଆଲୋଚନା ହୋଇଥିଲା ଯେ କିପରି ମତଦାନ ହୋଇଥିଲା। ଏହାର ସମୀକ୍ଷା ମଧ୍ୟ କରାଯାଇଛି ବୋଲି ସେ କହିଛନ୍ତି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ଲୋକସଭା ନିର୍ବାଚନର ସମସ୍ତ ସାତଟି ପର୍ଯ୍ୟାୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ଏବଂ ଭୋଟ୍‌ ଗଣତି ପାଇଁ ସମଗ୍ର ଦେଶରେ ଦଳର ପୋଲିଂ ଏଜେଣ୍ଟଙ୍କୁ ନିୟୋଜିତ କରିବା ଉପରେ ଆଲୋଚନା ହୋଇଥିଲା।

ପୋଲିଂ ଏଜେଣ୍ଟମାନେ ସବୁ ବୁଥରେ ଠିକ୍‌ ସମୟରେ ପହଞ୍ଚିବା, ସେମାନଙ୍କର ଉପଯୁକ୍ତ ମୁତୟନ, ଏଥିରେ କିଛି ଅସୁବିଧା ଅଛି କି ନାହିଁ ସେ ସବୁ ବିଷୟରେ ଆଲୋଚନା ହୋଇଥିଲା।