କଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଆଫ୍ରିଦିଙ୍କୁ ଅଧିକାର ଦେଲା କିଏ? ପ୍ରଶ୍ନ କଲେ; କୋହଲି, କପିଲ୍‌, ରୈନା…

ନୂଆଦିଲ୍ଲୀ: କଶ୍ମୀର ଆତଙ୍କବାଦୀଙ୍କ ସମର୍ଥନରେ ପାକିସ୍ତାନୀ କ୍ରକେଟିୟର ସାହିଦ୍‌ ଆଫ୍ରିଦିଙ୍କ ଏକ ମନ୍ତବ୍ୟକୁ କେନ୍ଦ୍ରକରି ମଙ୍ଗଳବାର ଦେଶରେ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଫ୍ରିଦିଙ୍କୁ ତାଙ୍କ ବୟାନ ପାଇଁ ଭାରତୀୟ କ୍ରିକେଟିୟର ଗୌତମ ଗମ୍ଭୀର ଗତକାଲି କଡ଼ା ସମାଲୋଚନା କରି, ‘ମୁହଁତୋଡ୍‌’ ଜବାବ ଦେବାପରେ; ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ କପିଲ ଦେବ, ସୁରେଶ ରୈନା ପ୍ରମୁଖ ଗମ୍ଭୀରଙ୍କ ସହ ସ୍ୱର ମିଳାଇବା ସହ ଆଫ୍ରିଦିଙ୍କ କଟୁ ସମାଲୋଚନା କରିଛନ୍ତି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଭାରତୀୟ ସୁରକ୍ଷାକର୍ମୀମାନେ ୧୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ଘଟଣାକୁ ନିନ୍ଦା କରିବାକୁ ଯାଇ ସାହିଦ୍‌ ଆଫ୍ରିଦି ମଙ୍ଗଳବାର ଏକ ଟୁଇଟ୍‌ କରି କହିଥିଲେ ଯେ ‘ଭାରତ ଅଧିକୃତ କଶ୍ମୀରର (ପିଓକେ) ସାଂପ୍ରତିକ ସ୍ଥିତି ବେଶ୍‌ ଚିନ୍ତାଜନକ। ସେଠାରେ ନିରୀହ ଓ ନିର୍ଦ୍ଦେଷଙ୍କୁ ହତ୍ୟା କରାଯାଉଛି। ସେମାନଙ୍କ ସ୍ୱାଧୀନତା ଏବଂ ମତବ୍ୟକ୍ତ ଅଧିକାରକୁ ଦମନ କରାଯାଉଛି। ମିଳିତ ଜାତିସଂଘ (ୟୁଏନ୍‌) ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଘ ଏବେ କୋଉଁଠି ଅଛନ୍ତି? ଏହି ରକ୍ତାକ୍ତ ସଂଘର୍ଷକୁ ରୋକିବାକୁ କାହିଁକି କିଛି କରୁ ନାହାନ୍ତି?’
ଆଫ୍ରିଦିଙ୍କ ଏଟୁଇଟ୍‌ ଉପରେ ‘ମୁହଁତୋଡ୍‌’ ଜବାବ ଦେଇଥିଲେ ଗୌତମ ଗମ୍ଭୀର। ଆଜି ଗମ୍ଭୀରଙ୍କ ସହ ସ୍ୱର ମିଶାଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି, ‘ଦେଶର ସ୍ୱାର୍ଥରେ ଆଞ୍ଚ ଆଣୁଥିବା କାହାରିକୁ କୌଣସି ପ୍ରକାରେ ସମର୍ଥନ କରାଯାଇ ପାରିବ ନାହିଁ। ଜଣେ ଭାରତୀୟ ଭାବେ ମୋ ସ୍ୱାର୍ଥ ସବୁବେଳେ ଭାରତ ସହ ଜଡ଼ିତ। ଭାରତ ବିରୋଧୀକୁ ସମର୍ଥନ କରିବା ଅସମ୍ଭବ।’


ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ମତ ଦେବାକୁ ଆଫ୍ରିଦି କିଏ? ତାଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି?’ ସେହିପରି ରୈନା କହିଛନ୍ତି, ‘କଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଉପରେ ଟିପ୍ପଣି ଦେବାକୁ ଆଫ୍ରିଦି କିଏ କହିଛି?


ଭାରତୀୟ ବ୍ୟାଟସମ୍ୟାନ୍‌ ଗୌତମ ଗମ୍ଭୀର ଆଫ୍ରିଦିଙ୍କ ଟୁଇଟ୍‌ର ପ୍ରତ୍ୟୁତ୍ତର ଦେଇ ଟୁଇଟ୍‌ କରିଥିଲେ, ‘ଆଫ୍ରିଦି ନୋ ବଲ୍‌ରେ ଓ୍ଵିକେଟ ପାଇଯିବା ଭଳି ଖୁସୀ ମନାଉଛନ୍ତି। ଆଫ୍ରିଦି ଏବେ ଜାତିସଂଘର (ୟୁଏନ୍‌) ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହା ଏକ ମାନସିକ ଅନଗ୍ରସର ପିଲା ତଥା ୧୯ ବର୍ଷରୁ କମ୍‌ବୟସର/ ଅଣ୍ଡର ନାଇଣ୍ଟିନ୍‌ (ୟୁଏନ୍‌) ପିଲାଙ୍କ ଭଳି କଥା। ସେ କେବଳ ନୋ ବଲ୍‌ରେ ଓ୍ଵିକେଟ୍‌ ପାଇଯିବା ଭଳି ଲାଗୁଛି।’

ସମ୍ବନ୍ଧିତ ଖବର