ଇସଲାମିକ ଷ୍ଟେଟର ସର୍ବୋଚ୍ଚ ନେତା ଅଲ-କୁରାସି ନିହତ, ଆମେରିକା ସୈନ୍ୟଙ୍କ ଆକ୍ରମଣ ପୂର୍ବରୁ ନିଜକୁ ଉଡ଼ାଇଦେଲା

ଓ୍ବାସିଂଟନ : ସିରିଆରେ ଆମେରିକୀୟ ସୈନ୍ୟଙ୍କ ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ବା ଆଇଏସଆଇଏସର ସର୍ବୋଚ୍ଚ ନେତା ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି । ତେବେ ସେ ନିଜକୁ ବିସ୍ଫୋରଣରେ ଉଡ଼ାଇଦେଇଥିବା କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ କହିଛନ୍ତି ।

ବାଇଡେନ କହିଛନ୍ତି ଯେ ଆମେରିକୀୟ ସେନାର ସ୍ପେଶାଲ ଫୋର୍ସ ପକ୍ଷରୁ ଗୁରୁବାର ଦିନ ଉତ୍ତର-ପଶ୍ଚିମ ସିରିଆର ଇଡଲିଭ ରାଜ୍ୟରେ କରାଯାଇଥିବା ଏକ ଅପରେସନରେ ଇସଲାମିକ ଷ୍ଟେଟ ସର୍ବୋଚ୍ଚ ନେତା ଅବୁ ଇବ୍ରାହିମ ଅଲ ହାସିମ ଅଲ-କୁରାସି ନିହତ ହୋଇଛି । ଏହି ଅପରେସନ ପରେ ସବୁ ଆମେରିକୀୟ ସୈନିକ ନିରାପଦରେ ଫେରିଆସିଛନ୍ତି ।

image credit : Aljajeera

ବାଇଡେନଙ୍କ ଘୋଷଣା ପୂର୍ବରୁ ଆମେରିକା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ କୁରାସି ନିହତ ହୋଇଥିବା ଖବରକୁ ସ୍ପଷ୍ଟ କରିଥିଲେ । କିନ୍ତୁ ଅନ୍ତର୍ଜତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ କୁରାସି ରହୁଥିବା ଘରେ ଆମେରିକୀୟ ସୈନ୍ୟ ପହଞ୍ଚିବା ପୂର୍ବରୁ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇଦେଇଥିଲା ।

୨୦୧୯, ଅକ୍ଟୋବରରେ ଇସଲାମିକ ଷ୍ଟେଟର ସର୍ବୋଚ୍ଚ ନେତା ଅବୁ ବକର ଅଲ-ବାଗଦାଦି ଆମେରିକାର ଆକ୍ରମଣରେ ନିହତ ହେବା ପରେ  ଅବୁ ଇବ୍ରାହିମ ଅଲ ହାସିମ ଅଲ-କୁରାସିକୁ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିଲା । ବାଗଦାଦି ନିହତ ହେବା ପରେ ଏହି ଆତଙ୍କବାଦୀ ସଂଗଠନ ଅନେକାଂଶରେ ଦୁର୍ବଳ ହୋଇଯାଇଥିଲା । ଏବେ ଅଲ-କୁରାସି ନିହତ ହେବା ପରେ ଏହି ସଂଗଠନ ଆହୁରି ଦୁର୍ବଳ ହେବା ଆଶା କରାଯାଉଛି । ପୂର୍ବରୁ ଅଲ-କୁରାସି କିଛି ସମୟ ପାଇଁ ଆମେରିକୀୟ ସୈନିକଙ୍କ କବଜାରେ ରହିଥିଲା । ପରେ ସେ ଏଥିରୁ ମୁକ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର