୪ ବାୟୁସେନା ଅଧିକାରୀଙ୍କ ହତ୍ୟାମାମଲା : ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଜମ୍ମୁର ଟାଡା କୋର୍ଟରେ ହାଜର ହେଲା ବିଚ୍ଛିନ୍ନତାବାଦୀ ୟାସିନ ମଲ୍ଲିକ

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ଥିବା କୁଖ୍ୟାତ ବିଚ୍ଛିନ୍ନତାବାଦୀ ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ଆଜି ଜମ୍ମୁର ଟାଡା କୋର୍ଟରେ ହାଜିର ହୋଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ ହାଜର କରାଯାଇଥିଲା । ତାହାର ଜଣେ ଘନିଷ୍ଠ ସହଯୋଗୀ ସୌକତ ଅହମଦ ବକ୍ସିକୁ ମଧ୍ୟ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା ।

ଉଭୟଙ୍କ ବିରୁଦ୍ଧରେ ୨ଟି ମୁଖ୍ୟ ମାମଲା ଚାଲିଛି- ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କ ହତ୍ୟା ଓ ୧୯୮୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦଙ୍କ ଝିଅର ଅପହରଣ ।

୧୯୯୦ ଜାନୁୟାରୀ ୨୫ରେ ୪ ଜଣ ବାୟୁସେନା ଅଧିକାରୀ ଶ୍ରୀନଗରର ଏକ ବସଷ୍ଟପରେ ବସକୁ ଅପେକ୍ଷା କରିଥିବାବେଳେ ୟାସିନ ମଲ୍ଲିକଙ୍କ ସମେତ କେତେକ ଆତଙ୍କବାଦୀ ସେମାନଙ୍କୁ ନିର୍ମମଭାବେ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣାରେ ଜମ୍ମୁର ଟାଡା ଅଦାଲତରେ ଏକ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ମାମଲାଟି ଏପର୍ଯ୍ୟନ୍ତ ଅଟକି ରହିଥିଲା । ସେହିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସିବିଆଇ ୟାସିନ ମଲ୍ଲିକ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । କିନ୍ତୁ ଏହି ମାମଲାର ବିଚାର ଉପରେ ଜମ୍ମୁ ଓ କଶ୍ମୀର ହାଇକୋର୍ଟ ଗତ ୧୯୯୫ ମସିହାରେ ରୋକ ଲଗାଇଥିଲେ । ଏହି ମାମଲାକୁ ଜମ୍ମୁ ବଦଳରେ ଶ୍ରୀନଗରରେ ଚଳାଇବାକୁ ୨୦୦୮ରେ ୟାସିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ସମ୍ବନ୍ଧିତ ଖବର