ତେହେରାନ: ହମାସ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ଇରାନକୁ ଏକ ବହୁତ ବଡ଼ ଝଟ୍‌କା ମିଳିଛି। ତେହେରାନରେ ହମାସର ରାଜନୈତିକ ମୁଖ୍ୟ ଇସ୍‌ମାଇଲ ହାନିୟେହଙ୍କୁ ହତ୍ୟା କରାଯାଇଛି। ଇରାନ ରିଭୋଲ୍ୟୁସନାନି ଗାର୍ଡ କର୍ପସ (ଆଇଆରଜିସି) ପକ୍ଷରୁ ଏହି ଖବର ଘୋଷଣା କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ହାନିୟେହଙ୍କୁ ତାଙ୍କ ବାସଭବନରେ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ସହ ହତ୍ୟା କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଇରାନ ବ୍ୟାପକ ତଦନ୍ତ ଆରମ୍ଭ କରିଛି। ହାନିୟେହଙ୍କ ହତ୍ୟା ଅଭିଯୋଗ ଉପରେ ଇସ୍ରାଏଲ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ। ଗୋଲାନ ହାଇଟ୍ସ ଉପରେ ହୋଇଥିବା ଆକ୍ରମଣର ଜବାବରେ ଇସ୍ରାଏଲ ସେନା ବିରୁଟରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡରଙ୍କୁ ନିପାତ କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଅକ୍ଟୋବର ୭ ଆକ୍ରମଣ ପରଠାରୁ ଇସ୍ରାଏଲ ହାନିୟେହଙ୍କୁ ଟାର୍ଗେଟ୍‌ କରିଥିଲା।

Advertisment

ଇରାନରେ ନିଜ ବାସଭବନରେ ହୋଇଥିବା ଆକ୍ରମଣରେ ନିହତ ହମାସ୍‌ର ଶୀର୍ଷ ନେତା ଇସ୍‌ମାଇଲ ହାନିୟେହ ପାଲେଷ୍ଟିନୀୟ ସଂଗଠନ ହମାସ୍‌ର ଅନ୍ତର୍ଜାତୀୟ କୂଟନୀତିର ଜଣେ ଚର୍ଚ୍ଚିତ ଚେହେରା ଥିଲେ। ୬୨ ବର୍ଷୀୟ ଏହି ନେତାଙ୍କୁ ଯେଭଳି ହତ୍ୟା କରାଗଲା ତାହା ଇରାନର ଗୁଇନ୍ଦା ବିଫଳତାକୁ ସାମ୍ନାକୁ ଆଣିଛି। ହାନିୟେହ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ସାକ୍ଷାତ୍ କରିବାର ଦିନକ ପରେ ଏହି ହତ୍ୟାକାଣ୍ଡ ଘଟିଛି। ଇସ୍ରାଏଲ-ଗାଜା ଯୁଦ୍ଧରେ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରୁଥିବା ହାନିୟେହଙ୍କୁ ଅନେକ କୂଟନୀତିଜ୍ଞ ହମାସ୍‌ର ମଧ୍ୟମପନ୍ଥୀ ନେତା ଭାବରେ ଦେଖୁଥିଲେ। ଇସ୍‌ମାଇଲ ହାନିୟେହ ୧୯୬୩ ମସିହାରେ ଗାଜାର ଶାତୀ ଶରଣାର୍ଥୀ ଶିବିରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୦ ଦଶକର ଶେଷ ଭାଗରେ ହମାସ୍‌ରେ ଯୋଗ ଦେଇଥିଲେ ଏବଂ ୨୦୧୭ରେ ଶୀର୍ଷ ପଦ ହାସଲ କରିବା ପୂର୍ବରୁ ଅନେକ ପଦପଦବି ଗ୍ରହଣ କରିଥିଲେ। ହମାସ୍‌ର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ନେତା ଶେଖ୍ ଅହମଦ ୟାସିନଙ୍କ ଘନିଷ୍ଠ ସହଯୋଗୀ ଭାବରେ ତାଙ୍କର ପ୍ରଥମ ପରିଚୟ ହୋଇଥିଲା। ଇସ୍‌ମାଇଲ ହାନିୟେହ ଗାଜା ସିଟିର ଇସଲାମିକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର କାର୍ଯ୍ୟକର୍ତ୍ତା ଥିଲେ। ୧୯୮୭ ମସିହାରେ ପ୍ରଥମ ପାଲେଷ୍ଟାଇନ ଇନ୍ତିଫାଦା (ବିଦ୍ରୋହ)ରେ ହମାସ୍‌ ଗଠନ ହେବା ପରେ ସେ ଏହି ସଂଗଠନରେ ଯୋଗ ଦେଇଥିଲେ। ୧୯୮୦ ଓ ୧୯୯୦ ଦଶକରେ ସେ ଇସ୍ରାଏଲ ଜେଲରେ ଏକାଧିକ ଥର ଦଣ୍ଡ ଭୋଗିଥିଲେ। ୧୯୯୨ ମସିହାରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଅନ୍ୟ ଶତାଧିକ ଲୋକଙ୍କ ସହ ଗାଜାରୁ ଲେବାନନକୁ ପ୍ରତ୍ୟର୍ପଣ କରାଯାଇଥିଲା ଏବଂ ପରବର୍ଷ ସେ ଗାଜାକୁ ଫେରିଥିଲେ। ସୁନ୍ନି ମୁସଲମାନ ଇସ୍‌ମାଇଲ ହାନିୟେହ ଶିଆ ମୁସଲମାନ ଇରାନ ସହିତ ସମ୍ପର୍କକୁ ପ୍ରୋତ୍ସାହିତ କରି ହମାସ୍‌ର ଯୁଦ୍ଧ କ୍ଷମତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୭ରେ ସେ ହମାସ୍‌ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଇରାନ ଯାଇଥିଲେ, ଯେଉଁଠାରେ ସେ ଖାମେନିଙ୍କୁ ଭେଟିଥିଲେ।

୨୦୦୬ ବିଧାନସଭା ନିର୍ବାଚନରେ ହମାସ୍‌ର ବିଜୟ ପରେ ସେ ପାଲେଷ୍ଟାଇନ୍ କର୍ତ୍ତୃପକ୍ଷର ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ୨୦୦୭ରେ ରାଷ୍ଟ୍ରପତି ମହମ୍ମଦ ଆବାସ ତାଙ୍କୁ ପଦରୁ ବହିଷ୍କାର କରିଥିଲେ। ଇସ୍‌ମାଇଲ ହାନିୟେହଙ୍କୁ ଗାଜା ଯୁଦ୍ଧବିରତି ଆଲୋଚନା କିମ୍ବା ଇରାନ ସହ କଥାବାର୍ତ୍ତାରେ ମଧ୍ୟସ୍ଥ ଭାବରେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା। ଏପ୍ରିଲ ୧୦ ତାରିଖରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ତାଙ୍କର ତିନି ପୁଅ ହାଜେମ୍, ଅମୀର ଓ ମହମ୍ମଦ ପ୍ରାଣ ହରାଇଥିଲେ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ ଏହି ବ୍ୟକ୍ତିମାନେ କେନ୍ଦ୍ରୀୟ ଗାଜା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ ଥିଲେ। ହାନିୟେହ ମଧ୍ୟ ଏହି ଆକ୍ରମଣରେ ଚାରି ଜଣ ନାତିନାତୁଣୀଙ୍କୁ ହରାଇଛନ୍ତି। ତେବେ ଇସ୍ରାଏଲର ଦାବିକୁ ଖଣ୍ଡନ କରି ଇସ୍‌ମାଇଲ ହାନିୟେହ କହିଥିଲେ ଯେ ତାଙ୍କ ପୁଅମାନେ ହମାସ୍‌ ଆତଙ୍କବାଦୀ ନ ଥିଲେ କି ହମାସ୍‌ ପାଇଁ କାମ କରୁ ନ ଥିଲେ।