ଲକ୍ଷ୍ନୌ: ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ଏବେଠୁ ରାଜନୈତିକ ବାତାବରଣ ଉଷ୍ଣ ହେବାରେ ଲାଗିଲାଣି। ବିରୋଧୀ କଂଗ୍ରେସଠାରୁ ଆରମ୍ଭକରି ଶାସକ ଦଳ ବିଜେପି ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ୨୦୧୯ ପାଇଁ ପାଗଭିଡ଼ା କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି। କଂଗ୍ରେସ ତାହାର ସିଡବ୍ଲ୍ୟୁସି (କଂଗ୍ରେସ କାର୍ଯ୍ୟକାରିଣୀ କମିଟି) ବୈଠକରେ ସମ୍ଭାବ୍ୟ ମହାମେଣ୍ଟର ନେତୃତ୍ୱ ନେବା ଲାଗି ନିଷ୍ପତ୍ତି ନେବା ସହିତ ଦଳୀୟ ନେତାମାନଙ୍କୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ପ୍ରମୁଖ ରାଜ୍ୟରେ ଦଳର ସ୍ଥିତିକୁ ସୁଦୃଢ଼ କରିବା ଲାଗି ଯୋଜନା ତିଆରିରେ ବ୍ୟସ୍ତ ଅଛନ୍ତି। ଏବେ ଅମିତ୍ଙ୍କ ଆଖି ଉତ୍ତର ପ୍ରଦେଶ ଉପରେ ପଡ଼ିଛି। ଉତ୍ତର ପ୍ରଦେଶରେ ଥିବା ୮୦ ଲୋକସଭା ଆସନ ମଧ୍ୟରୁ କିଭଳି ସିଂହଭାଗ ଆସନକୁ କବ୍ଜା କରିବେ, ସେଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶର ପ୍ରମୁଖ ଆଞ୍ଚଳିକ ଦଳ ସମାଜବାଦୀ ପାର୍ଟି (ଏସ୍ପି) ଓ ବହୁଜନ ସମାଜ ପାର୍ଟି (ବିଏସ୍ପି) ସମ୍ଭାବ୍ୟ ମେଣ୍ଟ ପାଇଁ ଏବେ ଆଲୋଚନା ଜାରି ରଖିଛନ୍ତି।
ଅନ୍ୟପକ୍ଷରେ ବିଜେପି ଏବେ ସେମାନଙ୍କ ଔପଚାରିକ ମେଣ୍ଟ ଘୋଷଣାକୁ ଅପେକ୍ଷା ନ କରି ଉତ୍ତର ପ୍ରଦେଶ ପାଇଁ କ୍ଷମତାଶାଳୀ ନେତା ପଠାଇବ ବୋଲି ନିଷ୍ପତ୍ତି ନେଇଛି। ନିର୍ବାଚନ ଜିତିବା ପାଇଁ ସବୁଠୁ ଯୋଗ୍ୟ ନେତାଙ୍କର ତାଲିକା ପ୍ରସ୍ତୁତ ହେଉଛି। ୨୦୧୯ ନିର୍ବାଚନରେ ଏନ୍ଡିଏ ପୁଣି କ୍ଷମତାକୁ ଫେରିବାକୁ ହେଲେ ଉତ୍ତର ପ୍ରଦେଶରେ ଅଧିକରୁ ଅଧିକ ଆସନ ହାସଲ କରିବା ଅପରିହାର୍ଯ୍ୟ।
ମୁମ୍ବାଇ,: ସାଧାରଣ ନିର୍ବାଚନକୁ ଆଖିରେ ରଖି ବିରୋଧୀ ଦଳଗୁଡ଼ିକ ମହାମେଣ୍ଟ ଗଠନ ଲାଗି ସନ୍ଧି କରୁଥିବା ବେଳେ ଏପଟେ ଏନ୍ଡିଏ ସ୍ଥିତି ଦୁର୍ବଳ ହେବା ନେଇ ଆଭାସ ମିଳିଲାଣି। ବିଶେଷକରି ଶିବସେନା ଏବେ ଏନ୍ଡିଏ ଉପରେ ସନ୍ତୁଷ୍ଟ ନ ଥିବା କୁହାଯାଉଛି। ନିକଟରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଭୋଟ୍କୁ ବର୍ଜନ କରି ଶିବସେନା ତାହାର ପ୍ରାକ୍-ସଂକେତ ଦେଇଥିବା ବେଳେ ଆଜି ଖୋଲାଖୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରକୁ ଟାର୍ଗେଟ୍ କରିଛି।
ଶିବସେନା ମୁଖ୍ୟ ଉଦ୍ଧବ ଥାକ୍ରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିବା ସହିତ ତାଙ୍କ ଦଳ ଯେ ବିଜେପିର ଏକ ବନ୍ଧୁ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମିତି କି ମୋଦୀଙ୍କ ସ୍ୱପ୍ନ ପୂରଣ କରିବାକୁ ସେ ବାଧ୍ୟ ନୁହନ୍ତି ବୋଲି ସ୍ପଷ୍ଟ ବୟାନ ଦେଇଛନ୍ତି। ଉଦ୍ଧବ କହିଛନ୍ତି, ଜନତାଙ୍କ ସ୍ୱପ୍ନ ପୂରଣ ପାଇଁ ସେ ଲଢ଼େଇ କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ ଏଥିପାଇଁ ଲଢ଼େଇ ଜାରି ରଖିବେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନ ପୂରଣ ପାଇଁ ସେ ଆଦୌ ଲଢୁନାହାନ୍ତି। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ମୁଁ ଶିକାର ତ କରିବି କିନ୍ତୁ ଅନ୍ୟ କାହା କାନ୍ଧରେ ବନ୍ଧୁକ ରଖି ନୁହେଁ। ଏମିତି କି ଶିକାର ପାଇଁ ମୁଁ ବନ୍ଧୁକ ବି ବ୍ୟବହାର କରିବାକୁ ଚାହୁନାହିଁ।