ନୂଆଦିଲ୍ଲୀ: ପ୍ରତିଦିନ ସାରା ବିଶ୍ୱର ଲୋକଙ୍କ ମନରେ କିଛି ନା କିଛି ପ୍ରଶ୍ନ ଆସିଥାଏ। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ପାଇଁ ଲୋକମାନେ ଇଣ୍ଟରନେଟରେ ଉଇକିପିଡ଼ିଆ ବ୍ୟବହାର କରନ୍ତି । କିନ୍ତୁ ଆପଣଙ୍କୁ ମନେ ଅଛି କି ଆପଣ ସାରା ବର୍ଷରେ ଇଣ୍ଟରନେଟରେ କଣ ସବୁଠାରୁ ଅଧିକ ସର୍ଚ୍ଚ କରିଥିଲେ? ନିଶ୍ଚିତ ଭାବରେ, ଏହା ଆମ ସମସ୍ତଙ୍କ ପାଇଁ ମନେ ରଖିବା କଷ୍ଟକର । କିନ୍ତୁ ଉଇକିପିଡ଼ିଆ କ୍ଷେତ୍ରରେ ଏହା ନୁହେଁ । ଉଇକିପିଡ଼ିଆ ପରିଚାଳନା କରୁଥିବା ଅଣଲାଭକାରୀ ସଂସ୍ଥା ଉଇକିମିଡ଼ିଆ ୨୦୨୩ ରେ ସର୍ବାଧିକ ସନ୍ଧାନ ଏବଂ ପଠନ ପ୍ରବନ୍ଧଗୁଡ଼ିକର ଏକ ତାଲିକା ପ୍ରକାଶ କରିଛି । ଏଥର ଏହି ତାଲିକାରେ ଭାରତର ଅନେକ ବିଷୟ ମଧ୍ୟ ସାମିଲ ହୋଇଛି । ସେହିଭଳି ୨୦୨୩ ମସିହାରେ ଉଇକିପିଡ଼ିଆରେ ସବୁଠାରୁ ଅଧିକ ପଢ଼ାଯାଇଥିବା ଲେଖା ଥିଲା ଚାଟଜିପିଟି ବିଷୟରେ ।
ଉଇକିପିଡ଼ିଆରେ ସର୍ବାଧିକ ପଢ଼ାଯାଇଥିବା ୨୫ଟି ଲେଖା ମଧ୍ୟରୁ ୭ଟି ଭାରତର। ଏହି ତାଲିକାରେ ପ୍ରଥମ ଥର ପାଇଁ କ୍ରିକେଟ ସ୍ଥାନ ପାଇଛି। ଏହା ୧୬ ପ୍ରତିଶତ ପଢ଼ାଯାଇଥିଲା। ୨୦୨୩ରେ 'କ୍ରିକେଟ୍ ବିଶ୍ୱକପ୍' ଏବଂ 'ଇଣ୍ଡିଆନ୍ ପ୍ରିମିୟର ଲିଗ୍' ଶ୍ରେଷ୍ଠ ୫ଟି ବିଷୟ ମଧ୍ୟରେ ରହିଛି। ଏହି ତାଲିକାରେ 'କ୍ରିକେଟ ବିଶ୍ୱକପ୍ ୨୦୨୩' ଷଷ୍ଠ ଏବଂ '୨୦୨୩ ଇଣ୍ଡିଆନ୍ ପ୍ରିମିୟର ଲିଗ୍' ନବମ ସ୍ଥାନରେ ରହିଛି। ସମୁଦାୟ ୧୧୬.୮ ନିୟୁତ ଥର ଏହି ଲେଖାଗୁଡ଼ିକ ପଢ଼ାଯାଇଥିଲା । ସେହିପରି ଶାହରୁଖ ଖାଁଙ୍କ ୨ଟି ଫିଲ୍ମ ଜଓ୍ବାନ ଓ ପଠାନ ବି ଏହି ତାଲିକାରେ ରହିଛି ।