କଷି ଆମ୍ବ ଚୋରି କରିବାରୁ ଦୁଇ ନାବାଳକଙ୍କୁ ବାନ୍ଧି ଗୋବର ଖୁଆଇବାର ଚେଷ୍ଟା କଲେ ବଗିଚା ମାଲିକ

ହାଇଦ୍ରାବାଦ: ଗଛରେ କଷି ଆମ୍ବ ଦେଖି ଲୋଭ ଆସିଲା, ଆଉ ଆମ୍ବ ତୋଳିବାକୁ ବଗିଚାରେ ପଶିଲେ | ହେଲେ ଆମ୍ବ ତୋଳୁତୋଳୁ ବଗିଚା ମାଲିକ ହାତରେ ଧରାପଡ଼ିଲେ, ଆଉ ଅକଥନୀୟ ଯନ୍ତ୍ରଣା ସହିଲେ | ଆମ୍ବଚୋରି କରିବାର ଚେଷ୍ଟା ଆଉ ଏହା ପାଇଁ ମିଳିଥିବା ଶାସ୍ତିର ଆଜି ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ, ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | କିଛି ଆମ୍ବ ପାଇଁ ଜଣେ ବଗିଚା ମାଲିକ ଏତେ ତଳକୁ ଖସିଯାଇପାରେ ଆପଣ ବିଶ୍ୱାସ କରିପାରିବେ ନାହିଁ |

ତେଲେଙ୍ଗାନାର ମେହବୁବାବାଦ୍ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇ ନାବାଳକଙ୍କ ହାତ ବାନ୍ଧି ଗୋବର ଖୁଆଇବାକୁ ଚେଷ୍ଟା କରାଯାଉଛି | ମିଳିଥିବା ସୂଚନା ମୁତାବକ ୧୩ ଏବଂ ୧୬ ବର୍ଷର ଦୁଇ ଜଣ ନାବାଳକ ବଗିଚାରେ ପଶି ସେଠାରୁ ଆମ୍ବ ତୋଳୁଥିଲେ । ଠିକ୍ ସେତିକିବେଳେ ସେଠାରେ ଉପସ୍ଥିତ ଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ଦେଖି ପ୍ରବଳ ମାଡ଼ ମାରିଥିଲେ । ଏତିକିରେ ଦଣ୍ଡ ଅଟକି ନଥିଲା ।

ଏହି ଦୁଇ ଜଣ ବ୍ୟକ୍ତି କ୍ରୁରତାର ସମସ୍ତ ସୀମା ଟପିଯାଇ ପିଲାମାନଙ୍କର ହାତକୁ ବାନ୍ଧି ଗୋବର ଖୁଆଇବାକୁ ଚେଷ୍ଟା କରିଥିଲେ। ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମେହବୁବାବାଦ ଜିଲ୍ଲାପାଳ ତୁରନ୍ତ ଏହି ମାମଲାକୁ ଗୁରୁତର ସହ ନେଇ ଆଇପିସିର ଧାରା ୩୪୨, ୩୨୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଯାହା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର