ଇସଲାମାବାଦ: ତୋଷଖାନା ମାମଲାରେ ପାକିସ୍ତାନର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାବ୍ୟତୀତ ଏହି ଦମ୍ପତିଙ୍କୁ ୧୦ ବର୍ଷ ପାଇଁ ସରକାରୀ ପଦବୀରେ ରହିବାକୁ ବାରଣ କରାଯାଇଛି ଏବଂ ସେମାନଙ୍କୁ ୭୮୭ ନିୟୁତ ପାକିସ୍ତାନୀ ଟଙ୍କା ଜରିମାନା କରାଯାଇଛି। ପାକିସ୍ତାନର ସ୍ୱତନ୍ତ୍ର ଅଦାଲତ ଇମ୍ରାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦଙ୍କୁ ରାଷ୍ଟ୍ରୀୟ ଗୋପନୀୟତା ଉଲ୍ଲଂଘନ ଅଭିଯୋଗରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର ଦିନକ ପରେ ଏହି ରାୟ ଆସିଛି। ସୂଚନାଯୋଗ୍ୟ, ୨୦୨୨ରେ ଶାସକ ଦଳର ସାଂସଦମାନେ ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ନିକଟରେ ତୋଷଖାନା ମାମଲା ଦାୟର କରି ଅଭିଯୋଗ କରିଥିଲେ ଯେ ଇମ୍ରାନ୍ ଖାନ୍ ନିର୍ବାଚନ ସଂସ୍ଥା ନିକଟରେ ରାଷ୍ଟ୍ରୀୟ ଉପହାର ବିକ୍ରିର ମିଥ୍ୟା ବିବରଣୀ ଦାଖଲ କରିଥିଲେ। ଇସିପି ପ୍ରଥମେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ପରେ ଏକ ଦୌରା କୋର୍ଟରେ ଫୌଜଦାରୀ ମାମଲା ଦାୟର କରିଥିଲେ ଯାହା ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ ପରେ ଖାନଙ୍କୁ ଜେଲ ପଠାଇ ଦିଆଯାଇଥିଲା। ମାମଲାରେ ଅଭିଯୋଗ କରାଯାଇଛି ଯେ, ଇମ୍ରାନ ଖାନ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଶ୍ୱ ନେତାଙ୍କଠାରୁ ୧୪୦ ନିୟୁତ ଟଙ୍କାରୁ ଅଧିକ ମୂଲ୍ୟର ୫୮ଟି ଉପହାର ପାଇଥିଲେ ଏବଂ ସେସବୁକୁ ନଗଣ୍ୟ ଅର୍ଥ ଦେଇ କିମ୍ବା ବିନା ଦେୟରେ ନିଜ ପାଖରେ ରଖିଥିଲେ। ପରେ ତାକୁ ଅଧିକ ଦାମ୍ରେ ବିକ୍ରି କରିଥିଲେ ଏବଂ ସେହି ବିକ୍ରିରୁ ଲବ୍ଧ ଆୟ ସମ୍ପର୍କରେ ଲୁଚାଇଥିଲେ। ବେଆଇନ ଭାବେ ସରକାରୀ ଉପହାର ବିକ୍ରି ଅଭିଯୋଗରେ ୨୦୨୩ ଅଗଷ୍ଟ ୫ ତାରିଖରେ ଲାହୋରରେ ଖାନଙ୍କୁ ଗିରଫ କରିଥିଲା ପୁଲିସ, ଯେତେବେଳେ ଏକ ଜିଲ୍ଲା ଅଦାଲତ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସର୍ବୋଚ୍ଚ ଦୁର୍ନୀତି ନିରୋଧୀ ସଂସ୍ଥା ଏନ୍ଏବି ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିଲା।
ତୋଷଖାନା ମାମଲା: ଇମ୍ରାନ ଓ ପତ୍ନୀଙ୍କୁ ୧୪ ବର୍ଷ ଜେଲ୍ଦଣ୍ଡ
/sambad/media/post_attachments/wp-content/uploads/2024/02/sfhsfhfshhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)