ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ଗିରଫ ହୋଇଛନ୍ତି। ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ଇମ୍ରାନଙ୍କୁ ୫ ବର୍ଷ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଇମ୍ରାନଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। କୋର୍ଟ କହିଛନ୍ତି, ଯଦି ଇମ୍ରାନ ଜରିମାନା ରାଶି ଦେବାରେ ବିଫଳ ହେବେ ତେବେ ସେ ଆଉ ୬ ମାସ ଅଧିକ ଦିନ ଜେଲ୍‌ରେ ରହିବେ। ଆଜିର ରାୟରେ କୋର୍ଟ କହିଛନ୍ତି, ଇମ୍ରାନଙ୍କ ବିରୋଧରେ ଉକ୍ତ ମାମଲାରେ ଥିବା ଅଭିଯୋଗର ପ୍ରମାଣ ମିଳିଛି। ଇମ୍ରାନ ନିର୍ବାଚନ କମିସନ୍‌ଙ୍କ ନିକଟରେ ମିଥ୍ୟା ତଥ୍ୟ ଦେଇଥିଲେ ଏବଂ ସେ ଦୁର୍ନୀତିରେ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି। କୋର୍ଟଙ୍କ ଦଣ୍ଡାଦେଶ ପରେ ଇମ୍ରାନଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ୍‌ କ୍ଷମତାରେ ଥିବା ସମୟରେ ଦେଶର ସବୁ ଦାମୀ ଉପହାର ବିକ୍ରି କରି ଲାଭବାନ ହୋଇଥିଲେ। ଶୁଣାଣି ସମୟରେ ଇମ୍ରାନ କୋର୍ଟରେ ଉପସ୍ଥିତ ନଥିଲେ। କୋର୍ଟଙ୍କ ଦଣ୍ଡାଦେଶ ପରେ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ) ଅଧ୍ୟକ୍ଷ ଇମ୍ରାନଙ୍କୁ ଲାହୋର ସ୍ଥିତ ତାଙ୍କ ବାସଭବନରୁ ଇସଲାମାବାଦ ପୁଲିସ ଗିରଫ କରିଛି। ପଂଜାବ ପୁଲିସ ସହଯୋଗରେ ଇସଲାମାବାଦ ପୁଲିସ ଦ୍ବାରା ଇମ୍ରାନଙ୍କୁ ଗିରଫ ପରେ ତାଙ୍କୁ ଲାହୋରରୁ ଇସଲାମାବାଦ ପଠାଯାଇଥିବା ଜଣାପଡ଼ିଛି।

Advertisment

ପିଟିଆଇ ଦଳର ପଂଜାବ ଶାଖା ପକ୍ଷରୁ ଏକ ଟ୍ବିଟ୍‌ କରି କୁହାଯାଇଛି ଯେ ଇମ୍ରାନଙ୍କୁ କୋଟ ଲାଖପଟ ଜେଲ୍‌ ପଠାଯାଇଛି। ପୂର୍ବତନ କ୍ରିକେଟର ୭୦ ବର୍ଷୀୟ ଇମ୍ରାନଙ୍କ ଓକିଲ କହିଛନ୍ତି, ସେମାନେ ଏହି ରାୟକୁ ହାଇକୋର୍ଟରେ ଚାଲେଂଜ କରିବେ। ପିଟିଆଇ ପକ୍ଷରୁ କୋର୍ଟଙ୍କ ରାୟକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଜଣାପଡ଼ିଛି। ଇମ୍ରାନଙ୍କୁ ଗିରଫ କରାଯିବାପରେ ପିଟିଆଇ ପକ୍ଷରୁ ଲାହୋର ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଇମ୍ରାନଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଛି ବୋଲି ହାଇକୋର୍ଟରେ ପିଟିଆ‌ଇ ସମର୍ଥକମାନେ ଅଭିଯୋଗ କରିଛନ୍ତି।

ତୋଷଖାନାରୁ ଇମ୍ରାନ୍‌ କ’ଣ ସବୁ ନେଇଛନ୍ତି?

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କ୍ଷମତାରେ ଥିବା ସମୟ‌ରେ ଅନେକ ଦାମୀ ଉପହାର ସବୁ ବିକ୍ରି କରି ଫାଇଦା ଉଠାଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏକ ଗ୍ରାଫ୍‌ ବ୍ରାଣ୍ଡ୍‌ର ୱାଚ୍‌ ସହ ୫ଟି ଦାମୀ ହାତଘଣ୍ଟା ଏବଂ ଅନ୍ୟାନ୍ୟ ଦାମୀ ଉପହାର ସବୁ ପାଇଥିଲେ। ଇମ୍ରାନଙ୍କୁ ମିଳିଥିବା ଗ୍ରାଫ୍‌ ୱାଚ୍‌ର ମୂଲ୍ୟ ୩.୮ ନିୟୁତ ପାକିସ୍ତାନୀ ଟଙ୍କା (ପିକେଆର୍‌)। ଇମ୍ରାନ ଖାନ୍‌ ୨୦୧୮ ଅକ୍ଟୋବରରେ ଏହି ଉପହାରଗୁଡ଼ିକୁ ଖୁବ୍‌ ଅଳ୍ପ ମୂଲ୍ୟ ଦେଇ ତୋଷଖାନାରୁ ନେଇଯାଇଥିଲେ। ୨୦୧୮ ସେପ୍ଟେମ୍ବରରେ ଇମ୍ରାନ ମାତ୍ର ୨୦ ନିୟୁତ ପିକେଆର ଦେଇ ୮୫ ନିୟୁତ ପିକେଆରର ଏକ ଗ୍ରାଫ୍‌ ହାତଘଣ୍ଟା , ୫.୬ ନିୟୁତ ପିକେଆର୍‌ର ଏକ କଫ୍‌ଲିଙ୍କ୍‌ସ, ୧.୩ ନିୟୁତ ପିକେଆର୍‌ର ପେନ୍‌ ଏବଂ ୮.୭୫ ନିୟୁତ ପିକେଆର୍‌ର ଏକ ରିଙ୍ଗ୍‌ ହାସଲ କରିଥିଲେ। ୧.୫ ନିୟୁତ ପିକେଆର୍‌ର ଏକ ରୋଲେକ୍ସକୁ ମଧ୍ୟ ଇମ୍ରାନ୍‌ ମାତ୍ର ୨୯୪,୦୦୦ ଟଙ୍କା ବିନିମୟରେ ହାସଲ କରିଥିବା ଜଣାପଡ଼ିଛି। ୨୦୧୮ ନଭେମ୍ବରରେ ଇମ୍ରାନ ୯୦୦,୦୦୦ ପିକେଆର୍‌ର ଏକ ରୋଲେକ୍ସକୁ ମାତ୍ର ୩୩୮,୬୦୦ ପିକେଆର ଦେଇ ରଖିଥିଲେ। ଏହାର ବର୍ଷକ ପରେ ଇମ୍ରାନ ୧.୯ ନିୟୁତ ପିକେଆର୍‌ର ଏକ ଘଡ଼ିକୁ ବହୁତ ଶସ୍ତାରେ ହାତେଇଥିଲେ। ୨୦୨୦ ସେପ୍ଟେମ୍ବରରେ ଇମ୍ରାନ ୪.୪ ନିୟୁତ ପିକେଆର୍‌ର ଏକ ରୋଲେକ୍ସକୁ ୨.୪ ନିୟୁତ ପିକେଆର୍‌ରେ ରଖିଥିଲେ। ଏଥିରେ ଅନ୍ୟ ଉପହାର ମଧ୍ୟ ରହିଥିଲା। ଏହି ସମାନ ମାସରେ ଇମ୍ରାନଙ୍କ ପତ୍ନୀ ବୁଶରା ବିବି ୧୦ ନିୟୁତ ପିକେଆର୍‌ର ଏକ ହାର, ୨.୪ ନିୟୁତ ପିକେଆର୍‌ର ଏକ ବ୍ରେସଲେଟ୍‌, ୨.୮ ନିୟୁତ ପିକେଆର୍‌ର ଏକ ମୁଦି ଏବଂ ୧.୮୫ ନିୟୁତର କାନଫୁଲକୁ ୯ ନିୟୁତ ପିକେଆର୍‌ ପୈଠ କରି ନେଇଥିଲେ। ପାକିସ୍ତାନ ଏହାର ତୋଷଖାନା ନୀତିରେ ସଂଶୋଧନ ଆଣିବାପରେ ଏହି ତଥ୍ୟ ଜାରି ହୋଇଛି।

ତୋଷଖାନା ଉପହାରରୁ ଲାଭ ଉଠାଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ହେଉଛନ୍ତି ରାଷ୍ଟ୍ରପତି ଡ ଆରିଫ ଆଲଭି, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌, ସୌକତ ଅଜିଜ୍‌, ୟୁସୁଫ ରାଜା ଗିଲାନି, ସାହିଦ ଖକ୍କନ ଅବ୍ବାସି, ପରଭେଜ ଆସରଫ, ଜଫରୁଲ୍ଲା ଖାନ୍‌ ଜମାଲି, ପୂର୍ବନ ରାଷ୍ଟ୍ରପତି ଅସିଫ ଅଲି ଜରଦାରି ଏବଂ ପରଭେଜ ମୁସାରଫ ।