ଅଶାଳୀନ ସ୍ପର୍ଶ, ଦୁଷ୍କର୍ମ ଠାରୁ କମ୍‌ ନୁହେଁଁ: ସ୍ପେସ୍‌ ଜେଟ୍‌ ଏୟାର୍‌ ହୋସ୍‌ଷ୍ଟେସ୍‌

ଚେନ୍ନାଇ: ଶନିବାର ବଡ଼ି ସକାଳୁ ସ୍ପେସ୍‌ଜେଟ୍‌ ବିମାନର ପରିଚାରିକାମାନେ (ଏୟାର୍‌ ହୋସ୍‌ଷ୍ଟେସ୍‌) ପ୍ରତିବାଦ କରୁଥିବାର ଦେଖା ଯାଇଥିଲା। ଏୟାର୍‌ଲାଇନ୍‌ର ନିରାପତ୍ତା କର୍ମଚାରୀମାନେ ତାଙ୍କୁ ବିବସନା କରି ତଲାସ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଗତ କିଛି ଦିନ ହେବ ବିମାନରୁ ଅବତରଣ କରିବାବେଳେ ସେମାନଙ୍କୁ ବିବସନା କରାଯାଇ ତଲାସ କରାଯାଉଛି ବୋଲି ଅଭିଯୋଗ କରିବା ସହ କହିଥିଲେ କି, ସେମାନେ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ରଖିଥିବା ସାନିଟାରି ନାପ୍‌କିନ୍‌ଗୁଡ଼ିକୁ ବାହାର କରିବାକୁ କୁହାଯାଉଛି।

କ୍ୟାବିନ୍‌ ପରିଚାରିକାମାନେ ପ୍ରତିବାଦ କରିବାରୁ ଚେନ୍ନାଇ ବିମାନ ବନ୍ଦରରେ ଦୁଇଟି ବିମାନ ଉଡ଼ାଣରେ ଏକ ଘଣ୍ଟା ବିଳମ୍ବ ହୋଇଥିଲା।
ଏକ ଭିଡିଓ ଚିତ୍ରରେ ଶୁଣାଯାଉଛି ଜଣେ ମହିଳା କହୁଛନ୍ତି: ମତେ ଜଣେ ଅଶାଳୀନ ଭାବେ ସ୍ପର୍ଶ କରିବାରୁ ଭାରି ଖରାପ ଲାଗିଲା। ମତେ ବିବସନା କରାଯାଇଥିଲା।

ସେ ଅଭିଯୋଗ କରିଛନ୍ତି ଯେ ଖାଦ୍ୟ ଏବଂ ଅନ୍ୟାନ୍ୟ ବିକ୍ରିରୁ ସଂଗୃହୀତ ଅର୍ଥ ଚୋରାଇ ନେଉଛୁ ବୋଲି ଏୟାର୍‌ଲାଇନ୍‌ ସେମାନଙ୍କୁ ସନ୍ଦେହ କରୁଛି। ସେମାନେ ଆହୁରି ଅଭିଯୋଗ କରିଛନ୍ତି କି, ବିମାନରୁ ଅବତରଣ କରିବା ମାତ୍ରେ ସେମାନଙ୍କୁ ଓ୍ଵାସ୍‌ରୁମ୍‌ ବ୍ୟବହାର କରିବାକୁ ଅନୁମତି ମିଳୁନାହିଁ।

ଜଣେ ବିମାନ ପରିଚାରିକା ଗଣମାଧ୍ୟକୁ କହିଛନ୍ତି ଯେ ଆମକୁ ଗତ ତିନି ଦିନ ହେବ ବିବସନା କରାଯାଉଛି। ମହିଳା ନିରାପତ୍ତା କର୍ମୀମାନେ ଆମକୁ ଅଶାଳୀନ ଭାବେ ସ୍ପର୍ଶ କରୁଛନ୍ତି।

ସ୍ପେସ୍‌ଜେଟ୍‌ ମ୍ୟାନେଜ୍‌ମେଣ୍ଟ୍‌କୁ ଅଭିଯୋଗକାରିଣୀମାନେ ଲେଖିଛନ୍ତି ଯେ ସାନିଟାରି ପ୍ୟାଡ୍‌ ହଟାଇ ଗୁପ୍ତାଙ୍ଗ ସ୍ପର୍ଶ କରିବା କ’ଣ ଏୟାର୍‌ଲାଇନ୍‌ର ନୀତି?

ଅନ୍ୟ ଏକ ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି: ମୁଖ୍ୟତଃ ଯାତ୍ରୀମାନଙ୍କର ନିରାପତ୍ତା ପାଇଁ ଆମକୁ ନିଯୁକ୍ତି ମିଳିଥାଏ, କିନ୍ତୁ ଆମର ସମ୍ମାନ ଓ ନିରାପତ୍ତା କଥା କିଏ ବୁଝୁଛି? ଆମେ ଦୁଷ୍କର୍ମ ଓ ଅସଦାଚରଣ କଥା କହୁଛେ, ଏହା କ’ଣ ତା’ଠାରୁ କମ୍‌?

ସ୍ପେସ୍‌ଜେଟ୍‌ର ବରିଷ୍ଠ ଉପାଧ୍ୟକ୍ଷ କମଳ ହିଙ୍ଗୋରାନି କହନ୍ତି: କେବିନ୍‌ କ୍ରୁମାନେ ଟଙ୍କା ଏବଂ ଅନ୍ୟାନ୍ୟ ଏୟାର୍‌ଲାଇନ୍‌ ଜିନିଷ ଚୋରାଇ ନେଉଥିବାରୁ ଏ ଭଳି କଠୋର ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର