ସାମାଜିକ ଗଣମାଧ୍ୟମର ଅପବ୍ୟବହାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଅସତ୍ୟ ଓ ହିଂସା ଉଦ୍ରେକକାରୀ ଖବର ପ୍ରସାରଣ ନିମନ୍ତେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ସଂସଦରେ କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ରାଜ୍ୟସଭାରେ ବିଶେଷକକରି, ଟୁଇଟର୍‌, ଫେସ୍‌ବୁକ୍‌, ୟୁଟ୍ୟୁବ୍‌ ଏବଂ ଲିଙ୍କ୍‌ଡ୍‌ଇନ୍‌ ନାମ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ କହିଲେ, ଭାରତରେ ଆପଣମାନଙ୍କର ନିୟୁତ ନିୟୁତ ଅନୁଗାମୀ ଅଛନ୍ତି, ଆପଣମାନେ ଅବାଧରେ ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଛନ୍ତି। କିନ୍ତୁ, ଆପଣମାନଙ୍କୁ ଭାରତୀୟ ସମ୍ବିଧାନକୁ ମାନିବାକୁ ପଡ଼ିବ।

Image Courtesy of Latest Daily News Everyday

ପ୍ରଶ୍ନକାଳରେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମର ଅପବ୍ୟବହାର ସଂକ୍ରାନ୍ତରେ କହିବା ବେଳେ ସେ ଉପରୋକ୍ତ କଥା କହିଛନ୍ତି। ସେ କହିଲେ, ସାମାଜିକ ଗଣମାଧ୍ୟମ ପ୍ରତି ଆମର ଅଗାଧ ସମ୍ମାନ ରହିଛି। ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିଛି। ‘ଡିଜିଟାଲ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସାମାଜିକ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ, ଅସତ୍ୟ ସମ୍ବାଦ ଏବଂ ହିଂସା ଉଦ୍ରେକକାରୀ ତତ୍ତ୍ୱ ପ୍ରସାରଣ କରି ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାକ୍‌ ସ୍ୱାଧୀନତା ଏବଂ ଦେଶର ଆଇନଗତ କଟକଣା ସଂକ୍ରାନ୍ତରେ ଗତ କିଛି ଦିନ ହେବ କେନ୍ଦ୍ର ସରକାର ଏବଂ ଟୁଇଟର୍‌ ମଧ୍ୟରେ ବିବାଦ ଚାଲିଛି। ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣା ପରେ, ୧୩୦୦ ଟୁଇଟର୍‌ ହାଣ୍ଡେଲ୍‌ ବ୍ଲକ୍‌ କରିବା ଲାଗି ଭାରତ ସରକାର ଟୁଇଟର୍‌କୁ କହିଥିଲେ। ସେହି ଆକାଉଣ୍ଟ୍‌ମାନଙ୍କରେ ବିଭ୍ରାନ୍ତକାରୀ ଏବଂ କ୍ରୋଧ ଉଦ୍ରେକକାରୀ କଥାବସ୍ତୁ ଅଛି ବୋଲି ସରକାର କହିଥିଲେ। ଏହି ଆକାଉଣ୍ଟ୍‌ଗୁଡ଼ିକରେ ରହିଛି କେତେକ ସାମ୍ବାଦିକ, ସାମାଜିକକର୍ମୀ ଏବଂ ରାଜନେତାଙ୍କ ଆକାଉଣ୍ଟ୍‌।

ସମ୍ବନ୍ଧିତ ଖବର