ଆଫଗାନିସ୍ତାନରେ ଫସିଛି କ୍ରିକେଟର ରସିଦ ଖାନଙ୍କ ପୂରା ପରିବାର, ତଥାପି ଜାରି ରଖିଛନ୍ତି ଦମଦାର ପ୍ରଦର୍ଶନ

ଲଣ୍ଡନ୍: ତାଲିବାନ କାବୁଲକୁ ଅକ୍ତିଆର କରିବା ପରେ ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ ରହିଛି । ହଜାର ହଜାର ଲୋକ ଭୟରେ ଦେଶ ଛାଡି ପଳାୟନ କରୁଥିବା ବେଳେ ଦେଶବାସୀ କଠିନ ସମୟ ଦେଇ ଗତି କରୁଛନ୍ତି । ଆଉ ଏହି ସଙ୍କଟଜନକ ସ୍ଥିତିରୁ ଜଣାଶୁଣା କ୍ରିକେଟର ରସିଦ ଖାନ୍ ମଧ୍ୟ ବର୍ତ୍ତିନାହାନ୍ତି । ଇଂଲଣ୍ଡରେ ଏବେ କ୍ରିକେଟ ଖେଳୁଥିବା ରସିଦଙ୍କ ପରିବାର  ଆଫଗାନିସ୍ତାନରେ ଫସି ରହିଛନ୍ତି । ଏହା ରସିଦଙ୍କ ଚିନ୍ତା ବଢାଇ ଦେଇଛି।

ପୂର୍ବରୁ ସୋସିଆଲ ମିଡ଼ିଆରେ ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଅପିଲ କରିଥିଲେ ରସିଦ ଖାନ୍ । ଏହାସହ ଆଫଗାନିସ୍ତାନକୁ ଏଭଳି ସଙ୍କଟଜନକ ସ୍ଥିତିରୁ ରକ୍ଷା କରିବା ପାଇଁ ବିଶ୍ୱବାସୀଙ୍କୁ ମଧ୍ୟ ଅପିଲ କରିଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଥିବା ବେଳେ ଘର ଭାଙ୍ଗି ଦିଆଯାଉଛି । ଏପରିକି ଲୋକଙ୍କ ସମ୍ପତ୍ତି ଲୁଟ୍ କରାଯାଉଛି । ଲକ୍ଷ ଲକ୍ଷ ଲୋକ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।  ଏଭଳି ଅରାଜକତା  ସୃଷ୍ଟି ହୋଇଥିବା ବେଳେ ଆଫଗାନିସ୍ତାନକୁ ଏକା ନ ଛାଡିବାକୁ ଅନୁରୋଧ କରିଥିଲେ ରସିଦ । ଆଫଗାନିସ୍ତାନକୁ ବରବାଦ ହେବାରୁ ରୋକିବା ସହ ଶାନ୍ତି ଫେରାଇ ଆଣିବାକୁ ବିଶ୍ୱର ବିଭିନ୍ନ ଦେଶର ନେତାଙ୍କୁ ଆବେଦନ କରିଥିଲେ ସେ।

ସେହିଭଳି ପୂର୍ବତନ କ୍ରିକେଟର କେଭିନ୍ ପିଟରସନ୍ ମଧ୍ୟ ଆଫଗାନିସ୍ତାନରେ ଦେଖାଦେଇଥିବା ସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିବା ସହ ଚିନ୍ତିତ ଥିବା କହିଛନ୍ତି । ଆଫଗାନିସ୍ତାନରେ ରସିଦଙ୍କ ପରିବାର ଫସି ରହିଥିବା ବେଳେ ଏଭଳି ସମୟରେ ଦମଦାର ପ୍ରଦର୍ଶନ କରି ରସିଦ ସମସ୍ତଙ୍କ ହୃଦୟ ଜିଣିଛନ୍ତି।
ସମ୍ବନ୍ଧିତ ଖବର