ନୂଆଦିଲ୍ଲୀ : ଲୋକସଭାକୁ ସବୁଠାରୁ ଅଧିକ ସାଂସଦ ଦେଉଥିବା ରାଜ୍ୟ ହେଉଛି ଉତ୍ତରପ୍ରଦେଶ। ଉତ୍ତରପ୍ରଦେଶରୁ ମୋଟ୍‌ ୮୦ ସାଂସଦ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି। ଅନେକ ଏକଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ବିଜେପି ଅନୁଯାୟୀ ୨୦୨୪ ଲୋକସଭା ନିର୍ବାଚନ‌ରେ ବିଜେପି ୩୫୦ରୁ ଅଧିକ ଆସନରେ ଜିତିବ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ବିଜେପି ଚଳିତ ଥର ପ୍ରାୟ ୭୦ ଆସନ ପାଇବ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୬୩ ଆସନରେ ଜିତିଥିଲା। କିନ୍ତୁ ଚଳିତ ଥର ବିଜେପି ପାଇଁ ପ୍ରାୟ ୧୦ରୁ ୧୭ଟି ଆସନରେ ଜଟିଳ ସ୍ଥିତି ଉପୁଜିପାରେ। ଏକ ରିପୋର୍ଟ ଅନୁଯାୟୀ ରାମ ମନ୍ଦିର କାର୍ଯ୍ୟକ୍ରମ ସତ୍ତ୍ବେ ବିଜେପି ଅଯୋଧ୍ୟାରେ କଡ଼ା ଲଢ଼େଇ ସାମ୍ନା କରୁଛି। ରିପୋର୍ଟ ଅନୁଯାୟୀ ଭୋଟର ଫୈଜାବାଦରୁ ୨ ଥର ସାଂସଦ ହୋଇଥିବା ଲାଲ୍ଲୁ ସିଂହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି।

Advertisment

ଅନ୍ୟପକ୍ଷେ ଉକ୍ତ ଆସନରେ ସପାର ଅୱଧେଶ ପ୍ରସାଦ ସର୍ବଦା ‌ଲୋକଙ୍କ ପାଇଁ ଉପଲବ୍ଧ ହେଉଥିବାରୁ ତାଙ୍କ ଲୋକପ୍ରିୟତା ବଢ଼ିଛି। ତେଣୁ ଉକ୍ତ ଆସନରେ ବିଜେପିର ଫଳ ଉପରେ ପ୍ରଭାବ ପଡ଼ିପାରେ। ଏକଜିଟ୍‌ ପୋଲ୍‌ ଅନୁଯାୟୀ ଅନ୍ୟ ୨ଟି ଗୁରୁତ୍ବପୂର୍ଣ୍ଣ ଆସନ ଗାଜିପୁର ଏବଂ ଘୋ‌ଷିରେ ମଧ୍ୟ ବିଜେପି କ୍ଷତି ସହିପାରେ। ଗାଜିପୁରରେ ବର୍ତ୍ତମାନ ସାଂସଦ ଥିବା ଅଫଜଲ ଅନ୍‌ସାରୀ ପୁନର୍ବାର ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ମୃତ ବଡ଼ ଭାଇ ତଥା ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ମୁଖତାର ଅନ୍‌ସାରୀ ଉକ୍ତ ଆସନରେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିପାରନ୍ତି। ସେହିପରି ବିଜେପି ପାଇଁ ଜଟିଳ ସ୍ଥିତି ଉପୁଜିଥିବା ଅନ୍ୟ ଆସନ ଗୁଡ଼ିକ ହେଉଛି ମୈନପୁରୀ, ଫିରୋଜାବାଦ,ଯୌନପୁର, ଆଜମଗଡ଼, କନୌଜ, ରାଏବରେଲି, ସମ୍ଭଲ, ଆମେଥି। ଆମେଥିରେ ସ୍ମୃତି ଇରାନୀ ଏବଂ କଂଗ୍ରେସ ପ୍ରାର୍ଥୀ କେଏଲ୍‌ ଶର୍ମାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।