ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବା‌ଚନରେ ଶ୍ରୀନଗର ଏବଂ ବାରମୂଳା ନିର୍ବାଚନମଣ୍ଡଳୀ‌ରେ ହୋଇଥିବା ମତଦାନ ପ୍ରତିଶତ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ପଞ୍ଚମ ପର୍ଯ୍ୟାୟରେ ବାରମୂଳା ଲୋକସଭା ଆସନ‌ରେ ଭୋଟ୍‌ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଅନନ୍ତନାଗ-ରାଜୌରୀ ଆସନରେ ଆସନ୍ତା ‌ମେ’ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଏଠାରେ ଚଳିତ ନିର୍ବା‌ଚନ ଅଧିକ ଗୁରୁତ୍ବପୂର୍ଣ୍ଣ, କାରଣ ୨୦୨୨ରେ ନିର୍ବାଚନ ସୀମା ପୁନଃ ନିର୍ଦ୍ଧାରଣ କରାଯିବାପରେ ଏହା ହେଉଛି ପ୍ରଥମ ଲୋକସଭା ନିର୍ବାଚନ। ଅନନ୍ତନାଗ-ରାଜୌରୀ ଆସନରେ ଏବେ ତ୍ରିକୋଣୀୟ ଲଢ଼େଇ ହେଉଛି।

Advertisment

ପିଡିପି (ପିପୁଲ୍ସ ଡେମୋକ୍ରାଟିକ ପାର୍ଟି) ମୁଖ୍ୟ ମେହବୁବା ମୁଫତି ଏନ୍‌ସି (ନେସନାଲ କନଫରେନ୍ସ)ର ମିଆନ ଅଲତାଫ ଏବଂ ଅପ୍‌ନି ପାର୍ଟିର ଜାଫର ଇକବଲ ମାନହସଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ମୁକାବିଲା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଛି। ତେବେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ପାଇଁ ଏହା ଏକ କଠିନ ପରୀକ୍ଷା। କାରଣ ୨୦୨୨ରେ ସୀମା ପୁନଃ ନିର୍ଦ୍ଧାରଣ ପୂର୍ବରୁ ଅନନ୍ତନାଗ ପିଡିପି ଗଡ଼ ଥିଲା।

୬୫ ବର୍ଷୀୟା ମୁଫ୍‌ତି ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ୨୦୦୪ ଏବଂ ୨୦୧୪ରେ ଉକ୍ତ ଆସନରେ ନିର୍ବାଚନ ଜିତିଥିଲେ। ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ସ୍ବର୍ଗତ ମୁଫତି ମହମ୍ମଦ ସୟିଦ ୧୯୯୮ରେ ଏହି ଆସନରେ ଜିତିଥିଲେ। ଏନ୍‌ସି ଉକ୍ତ ଆସନରେ ୨୦୧୯ ଏବଂ ୨୦୦୯ରେ ଜିତିଥିଲା। ପିଡିପି ଉକ୍ତ ଆସନରେ ଏନ୍‌ସି ଏବଂ ଇଣ୍ଡି ମେଣ୍ଟର ସମର୍ଥନ ଚାହୁଥିଲା। କିନ୍ତୁ ସେମିତି ହେଲାନି ଏବଂ ଫାରୁକ୍‌ ଅବଦୁଲ୍ଲାଙ୍କ ନେତୃତ୍ବାଧୀନ ଏନ୍‌ସି ଉକ୍ତ ଆସନରେ ମୁଫ୍‌ତିଙ୍କ ବିରୋଧରେ ପ୍ରାର୍ଥୀ ଦେଲା।