ନଦୀଗର୍ଭକୁ ଖସିଲା ପର୍ଯ୍ୟଟକ ବସ୍,୧୪ ମୃତ

ଡେରାଡୁନ: ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଆହତ ‌ହୋଇଛନ୍ତି। ୨୬ ଜଣ ଯାତ୍ରୀ ଏକ ଟେମ୍ପୋ ଟ୍ରାଭେଲର‌ରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡ଼ି ରୁଦ୍ରପ୍ରୟାଗ ଜିଲ୍ଲାର ରାଇତୋଲି ଅଞ୍ଚଳରେ ଏକ ଗଭୀର ଖାଇକୁ ଖସିବା ପରେ ସିଧା ଯାଇ ଏକ ଅଳକାନନ୍ଦା ନଦୀଗର୍ଭରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ୧୪ ମୃତକଙ୍କ ମଧ୍ୟ‌ରେ ୬ ଜଣ ମହିଳା ଅଛନ୍ତି। ଆହତମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କୁ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବ‌ା ବେଳେ ୪ ଜଣଙ୍କୁ ଋଷୀକେଶ ଏମ୍ସ ପଠାଯାଇଛି।

ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଆଜି ପୂର୍ବାହ୍ନ ୧୧ଟା‌ରେ ରୁଦ୍ରପ୍ରୟାଗଠାରୁ ୫ କିମି ଦୂର ରଇତୋଲିରେ ଏହି ଦୁର୍ଘଟଣା ହୋଇଛି। ଗାଡ଼ିଟି ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଦିଲ୍ଲୀ ଛାଡ଼ିଥିଲା ଏବଂ ଏହା ଉତ୍ତରାଖଣ୍ଡର ଚୋପତା ଏବଂ ଉଖିମଠ ଯାଇଥିଲା। ଏସ୍‌ଡିଆରଏଫ୍‌ କମାଣ୍ଡାଣ୍ଟ୍‌ ମଣିକାନ୍ତ ମିଶ୍ର କହିଛନ୍ତି, ଦୁର୍ଘଟଣା ପଛର କାରଣ କ’ଣ ଏଯାବତ ଜଣାପଡ଼ିନି। ଆମକୁ ମିଳିଥିବା ସୂଚନାନୁଯାୟୀ ଗାଡ଼ିରେ ମୋଟ୍‌ ୨୬ ଜଣ ଯାତ୍ରୀ ଥିଲେ। ଉଦ୍ଧାର କାର୍ଯ୍ୟ‌ରେ ସ୍ଥାନୀୟ ପ୍ରଶାସନ ଏବଂ ଏସ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି।

ଇତିମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉତ୍ତମ ମେଡିକାଲ ଚିକିତ୍ସା ପ୍ରଦାନ କରିବାପାଇଁ ଧାମୀ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତଙ୍କୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର