ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ସହରର ବୈସରନ ଘାଟି ଉପର ଅଞ୍ଚଳରେ ଏକ ପର୍ଯ୍ୟଟନ ସ୍ଥାନ ଅଛି। ଏହି ସ୍ଥାନକୁ ଦେଶବିଦେଶରୁ ଅନେକ ପର୍ଯ୍ୟଟକମାନେ ବୁଲିବାକୁ ଆସିଥାଆନ୍ତି। ଏଠାରେ ପ୍ରାୟତଃ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗି ରହିଥାଏ।  

Advertisment

ମଙ୍ଗଳବାର ବୈସରନ ଘାଟି ଉପର ଅଞ୍ଚଳରେ ଆତଙ୍କବାଦୀମାନେ କେହି କିଛି ବୁଝିବା ପୂର୍ବରୁ ପର୍ଯ୍ୟଟକମାନଙ୍କ ଉପରେ ଗୁଳିମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଆତଙ୍କବାଦୀଙ୍କ ଏହି ଗୁଳିମାଡ଼ରେ ଜଣକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷା ବାହିନୀ  ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରି ଦେଇଛନ୍ତି। 

ପୁଲିସ ସୂତ୍ରରୁ ପ୍ରକାଶ,  ଆହତ ପର୍ଯ୍ୟଟକମାନେ ରାଜସ୍ଥାନରୁ ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ।। ବୈସରନ ଘାଟି ଏକ ପର୍ଯ୍ୟଟନ ସ୍ଥାନ। ଗ୍ରୀଷ୍ମଋତୁରେ ଏଠାକୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି।

ତେବେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି, ତେଣୁ ଏହି ଅଞ୍ଚଳରେ ଧୀରେଧୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଏଭଳି ସମୟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଭୟର ପରିସ୍ଥିତି ସୃଷ୍ଟି କରିଛି। ଏହି ଗୁଳିକାଣ୍ଡରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।  କିଛି ଦିନ ମଧ୍ୟରେ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।