ପୁନର୍ଜନ୍ମ ପାଇବା ପରି ଲାଗିଲା: ଝାଡ଼ଖଣ୍ଡ କେବୁଲ କାରରେ ସାରା ରାତି କଟାଇଥିଲେ ପର୍ଯ୍ୟଟକ

ଦେଓଘର: ‘ମୋର ଅନେକ ଥର ମନେ ହୋଇଛି, ଆଉ ବଞ୍ଚିବାର ସମ୍ଭାବନା ନାହିଁ। ଉଦ୍ଧାର ପାଇବା ପରେ ପୁନର୍ଜନ୍ମ ପାଇବା ପରି ଲାଗୁଛି’: ଏହା ହେଉଛି ଦେଓଘର ଝାଡ଼ଖଣ୍ଡରେ ଘଟିଥିବା କେବୁଲ କାର ଦୁର୍ଘଟଣା ପରେ ରୋପ୍‌ୱେରେ ୨୦ ଘଣ୍ଟାରୁ ଅଧିକ କାଳ ଅଟକି ରହି ଉଦ୍ଧାର ପାଇଥିବା ବିହାର ମଧୁବନି ଜିଲ୍ଲାର ପର୍ଯ୍ୟଟକ ଶୈଳେନ୍ଦ୍ର କୁମାର ଯାଦବଙ୍କ ଉକ୍ତି।

ଆଜି ହେଲିକପ୍ଟର ଦ୍ବାରା ଉଦ୍ଧାର ପାଇବା ପରେ ଯାଦବ କହିଛନ୍ତି ଯେ ସେ ସାରା ରାତି ରୋପ୍‌ୱେରେ ରହିଥିଲେ। ପ୍ରବଳ ଶୋଷରେ ପାଣି ଟିକେ ବି ପିଇବାକୁ ମିଳୁ ନ ଥିଲା। ୨୦ ଘଣ୍ଟା ଫସି ରହିବା ପରେ ଦୁଇଟି ବାୟୁସେନା ହେଲିକପ୍ଟର ଆସି ତାଙ୍କ ସହ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣା ପରେ ରୋପ୍‌ୱେ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଦୁର୍ଘଟଣା ପରେ ପରେ ଖବର ପାଇ ଏନ୍‌ଡିଆର୍‌ଏଫ୍‌(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ)କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ବୋଲି ଦେଓଘର ଡେପୁଟି କମିସନର ମଞ୍ଜୁନାଥ ଭଜନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିବା ସେ କହିଛନ୍ତି। ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି ଏବଂ କୌଣସି ଗୁଜବ ପ୍ରଚାର ନ କରିବାକୁ ସେ ଲୋକମାନଙ୍କୁ ଟ୍ବିଟର ମାଧ୍ୟମରେ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ କୁମାର ସୋରେନ ଟ୍ବିଟର ମାଧ୍ୟମରେ କହିଛନ୍ତି ଯେ ସେନା ଓ ଏନ୍‌ଡିଆର୍‌ଏଫ୍ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି, ସେ ନିଜେ ସବୁ କାର୍ଯ୍ୟର ମନିଟରିଂ କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସମସ୍ତଙ୍କୁ ଉଦ୍ଧାର କରାଯିବ।

ସମ୍ବନ୍ଧିତ ଖବର