ପ୍ରସବ ସମୟରେ ମହିଳାଙ୍କ ପେଟରେ ରହିଗଲା କପଡ଼ା; ୪ ଡାକ୍ତରଙ୍କ ନାମରେ ମାମଲା ରୁଜୁ ହେଲା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏକ ସରକାରୀ ଡ଼ାକ୍ତରଖାନାରେ ପୁଣି ଥରେ ଡ଼ାକ୍ତରଙ୍କର ଦାୟିତ୍ୱହୀନତାର ଏକ ଘଟଣା ସାମ୍ନାକୁ ଆସିଛି । ଚାରି ଜଣ ଡ଼ାକ୍ତରଙ୍କ ମିଳିତ ଭାବେ କରିଥିବା ଏକ ପ୍ରସବ ସମୟରେ ମହିଳାଙ୍କ ପେଟରେ ଟାଓ୍ଵଲ ଛାଡ଼ି ଦେଇଥିଲେ । ପ୍ରସବ ପରେ ମଧ୍ୟ ମହିଳାଙ୍କ ପେଟରେ ଅନବରତ ଯନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କର ଚିକିତ୍ସା ନ କରି କିଛି ଔଷଧ ଦେଇ ବିଦା କରିଦେଇଥିଲେ । ଏହା ପରେ ମଧ୍ୟ ମହିଳା ଜଣଙ୍କର ଯନ୍ତ୍ରଣା କମ ନହେବାରୁ ତାଙ୍କୁ ଅନ୍ୟ ଏକ ଡ଼ାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ପରୀକ୍ଷା କରାଯିବା ପରେ ତାଙ୍କ ପେଟରେ ଏକ କପଡ଼ା ଥିବାର ଜଣାପଡ଼ିଥିଲା। ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଚାରିଜଣ ଡ଼ାକ୍ତରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି ।


ଘଟଣା ଅନୁଯାୟୀ , ସୀତାରାମ ବଜାରରେ ରହୁଥିବା ପୂଜାଙ୍କ ୁ ପ୍ରସବ ପୀଡ଼ା ହେବାରୁ ସ୍ୱାମୀ ଯୋଗେଶ ତାଙ୍କୁ ଜମା ମସଜିଦସ୍ଥିତ କସ୍ତୁରବା ମେଡିକାଲ୍‌କୁ ନେଇ ଯାଇଥିଲେ । ସେଠାରେ ତାଙ୍କର ପ୍ରସବ ଡ଼ାକ୍ତର ରମଣ, ଶୋଭିକା, ପ୍ରିୟା ଏବଂ ଏସ ଏନ ଅନୁରାଧା ମିଳିତ ଭାବେ କରିଥିଲେ । ପ୍ରସବ ପରେ ପୂଜା ଶିଶୁ କନ୍ୟାକୁ ଜନ୍ମ କରିଥିଲେ ମଧ୍ୟ ତାଙ୍କର ପେଟର ଯନ୍ତ୍ରଣା କମ ହୋଇ ନ ଥିଲା । କିଛି ଦିନ ପରେ ମଧ୍ୟ ଯନ୍ତ୍ରଣା କମ ନହେବାରୁ ତାଙ୍କ ସ୍ୱାମୀ ଯୋଗେଶ ତାଙ୍କୁ ସେହି ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କର କିଛି ଚିକିତ୍ସା ନ କରି ଔଷଧ ଦେଇ ବିଦା କରିଦେଇଥିଲେ । କିନ୍ତୁ ଏହା ପରେ ମଧ୍ୟ ପୂଜାଙ୍କ ଯନ୍ତ୍ରଣା କମ ହୋଇ ନ ଥିଲା । ଶେଷକୁ କିଛି ଉପାୟ ନପାଇ ଯୋଗେଶ ତାଙ୍କୁ ଏଲଏନଜିପି ଡ଼ାକ୍ତରଖାନା ନେଇଥିଲେ । ସେଠାରେ ଅଲଟ୍ରାସାଉଣ୍ଡରେ ତାଙ୍କ ପେଟରେ କପଡ଼ା ଥିବାର ଜଣାପଡ଼ିଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରି ସେହି କପଡ଼ା ବାହାର କରାଯାଇଥିଲା । ଏତେ ଦିନ ହେବ କପଡ଼ା ପେଟ ମଧ୍ୟରେ ଥିବାରୁ ସଂକ୍ରମଣ ପାଇଁ ତାଙ୍କର ଅନ୍ତ୍ରଃନାଳ ନଷ୍ଟ ହୋଇଯାଇଛି । ଘଟଣାଟି ଜଣାପଡ଼ିବା ପରେ ଯୋଗେଶ ଜମାମସଜଦସ୍ଥିତ ପୁଲିସ ଷ୍ଟେସନରେ ଚାରିଜଣ ଡ଼ାକ୍ତରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ମାମଲାଟିର ତଦନ୍ତ ଚାଲିଛି ।

ସମ୍ବନ୍ଧିତ ଖବର