ନୂଆଦିଲ୍ଲୀ: ଏଥର ଲୋକସଭାକୁ ନିର୍ବାଚିତ ହୋଇଥିବା ୫୪୩ ସଭ୍ୟମାନଙ୍କ ମଧ୍ୟରେ ଡିଏମ୍‌କେର ଟିଆର ବାଲୁ ହେଉଛନ୍ତି ସବୁଠୁ ବୟସ୍କ ବ୍ୟକ୍ତି। ତାମିଲନାଡୁର ଏହି ସାଂସଦଙ୍କ ବୟସ ହେଉଛି ୮୨। ସେ ସାତ ଥର ଲୋକସଭାକୁ ନିର୍ବାଚିତ ହେଲେଣି। ସବୁଠାରୁ କନିଷ୍ଠ ସାଂସଦ ହେଉଛନ୍ତି ଉତ୍ତର ପ୍ରଦେଶର ପୁଷ୍ପେନ୍ଦ୍ର ସରୋଜ। ସମାଜବାଦୀ ପାର୍ଟି ଟିକଟରେ ନିର୍ବାଚିତ ପୁଷ୍ପେନ୍ଦ୍ରଙ୍କ ବୟସ ହେଉଛି ୨୫ ବର୍ଷ ତିନି ମାସ। ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ଯେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦଙ୍କର ହାରାହାରି ବୟସ ହେଉଛି ୫୬ ବର୍ଷ। ୨୫ ବର୍ଷ ବୟସରେ ଆଉ ଦୁଇ ଜଣ ନିର୍ବାଚିତ ହୋଇଛନ୍ତି। ସେମାନେ ‌ହେଲେ ୟୁପିର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ ଏବଂ ବିହାରର ଏଲ୍‌ଜେପି ସାଂସଦ ଶମ୍ଭାବୀ ଚୌଧୁରୀ। ଲୋକସଭାକୁ ନିର୍ବାଚିତ ହୋଇଥିବା ସଭ୍ୟମାନଙ୍କ ମଧ୍ୟରୁ ୨୮୦ ଜଣ ପ୍ରଥମ ଥର ଲାଗି ସଂସଦରେ ପ୍ର‌ବେଶ କରିବେ। ମୋଟ୍ ୫୪୩ ସାଂସଦଙ୍କ ମଧ୍ୟରୁ ୩୪ ଜଣ ଅଧାରୁ ସ୍କୁଲ ପାଠପଢ଼ା ଛାଡ଼ିଥିବା ବେଳେ ୧୪୭ ଜଣ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ୩୬୯ ଜଣ ସ୍ନାତକ/ସ୍ନାତକୋତ୍ତର ଡିଗ୍ରି ଲାଭ କରିଛନ୍ତି। ୨୨ ଜଣ ଡକ୍ଟରେଟ୍ ଡିଗ୍ରି ଲାଭ କରିଥିବା ବେଳେ ୨୧ ଜଣ ହେଉଛନ୍ତି ପେସାରେ ଡାକ୍ତର। ୩୮ ଜଣ ଓକିଲ ଥିବା ବେଳେ ୪୬ ଜଣ ଚାଷୀ ଥିବା ସେମାନଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

Advertisment

ସଂସଦରେ ମହିଳାଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷଣ ବିଲ୍ ପାସ୍ ହୋଇଥିବ‌ା ବେଳେ ସଂସଦରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ ପାଇଛି। ଏଥର ଲୋକସଭାକୁ ୭୪ ଜଣ ମହିଳା ନିର୍ବାଚିତ ହୋଇଛନ୍ତି, ଯାହା ମୋଟ୍‌ ସଭ୍ୟସଂଖ୍ୟାର ମାତ୍ର ୧୩.୬ ଭାଗ। ମହିଳା ଭୋଟର ସଂଖ୍ୟା ବୃଦ୍ଧି ସତ୍ତ୍ବେ ମହିଳା ପ୍ରତିନିଧି ସଂଖ୍ୟା କମିଛି। ୨୦୨୪ ନିର୍ବାଚନରେ ୭୯୭ ଜଣ ମହିଳା ପ୍ରାର୍ଥୀ ହୋଇଥିବା ବେଳେ ୭୪ ଜଣ ନିର୍ବାଚିତ ହୋଇଛନ୍ତି। ଗତ ୨୦୧୯ ନିର୍ବାଚନରେ ୭୮ ଜଣ ମହିଳା ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚିତ ହୋଇଥିବା ୭୪ ମହିଳା ସାଂସଦଙ୍କ ମଧ୍ୟରୁ ବିଜେପିର ୩୦ ଜଣ ଥିବା ବେଳେ କଂଗ୍ରେସର ୧୩ ଏବଂ ତୃଣମୂଳ କଂଗ୍ରେସର ୧୧ ଜଣ ଅଛନ୍ତି। ସବୁଠାରୁ ଉଲ୍ଳେଖନୀୟ ବିଷୟ ହେଉଛି ଯେ ବିଜେପି ୬୯ ମହିଳାଙ୍କୁ ପ୍ରାର୍ଥୀ କରିଥିବା ବେଳେ ୩୦ ଜଣ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ୪୧ ଜଣଙ୍କୁ ପ୍ରାର୍ଥୀ କରିଥିଲା, ୧୩ ବିଜୟୀ ହେଲେ। ତୃଣମୂଳ କଂଗ୍ରେସ ୧୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣ ନିର୍ବାଚିତ ହୋଇଛନ୍ତି।

ଏଥର ଲୋକସଭାରେ ୫୦୪ ଜଣ କୋଟିପତି ସାଂସଦ ଅଛନ୍ତି। ଆନ୍ଧ୍ରପ୍ରଦେଶର ଟିଡିପି ସାଂସଦ ଚନ୍ଦ୍ରଶେଖର ପେମା‌ସାନି ହେଉଛନ୍ତି ସବୁଠାରୁ ଧନୀ। ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୫ ହଜାର ୭୦୦ କୋଟି ଟଙ୍କା। ତେବେ ପଶ୍ଚିମବଙ୍ଗର ବିଜେପି ସାଂସଦ ଜ୍ୟୋତିର୍ମୟ ମହାତୋ ହେଉଛନ୍ତି ସବୁଠାରୁ ଗରିବ ସାଂସଦ। ତାଙ୍କର ସଂପତ୍ତି ମୂଲ୍ୟ ହେଉଛି ମାତ୍ର ୨୨ ଲକ୍ଷ ଟଙ୍କା। ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ ଏଥର ଲୋକସଭାରେ ଏଭଳି ୨୫୧ ସାଂସଦ ଅଛନ୍ତି, ଯେଉଁମାନଙ୍କ ନାମରେ ଆପରାଧିକ ମାମଲା ରହିଛି। ଏହି ତାଲିକାରେ ବିଜେପି ଆଗରେ ରହିଛି। ଏହି ଦଳର ୯୪ ସାଂସଦଙ୍କ ନାମରେ ଆପରାଧିକ ମାମଲାା ରହିଛି। କଂଗ୍ରେସର ୪୯ ଜଣ ସାଂସଦଙ୍କ ନାମରେ ଆପରାଧିକ ମାମଲା ଥିବା‌ବେଳେ ସମାଜବାଦୀ ପାର୍ଟି ୨୧ ଏବଂ ତୃଣମୂଳ କଂଗ୍ରେସର ୧୩ ସାଂସଦଙ୍କ ବିରୋଧରେ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ ନାମରେ ଗୁରୁତର ଆପରାଧିକ ମାମଲା ରହିଛି।