ଦୁଇ ଟ୍ରାକ୍‌ମ୍ୟାନ୍‌ଙ୍କର ନାଲି ଗାମୁଛା ବର୍ତ୍ତାଇଲା ଶିବ ଗଙ୍ଗା ଏକ୍ସପ୍ରେସ୍‌କୁ ଏକ ନିଶ୍ଚିତ ଦୁର୍ଘଟଣାରୁ, ସୁରକ୍ଷିତ ରହିଗଲା ବହୁ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଦୁଇ ଜଣ ଟ୍ରାକ୍‌ମ୍ୟାନ୍‌ଙ୍କର ଉପସ୍ଥିତ ବୁଦ୍ଧି ଓ ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବୁଧବାର ଏକ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ୍‌ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯିବା ସହ ବହୁ ଯାତ୍ରୀଙ୍କର ଜୀବନ ସୁରକ୍ଷିତ ରହିପାରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପ୍ରିୟସ୍ୱାମୀ (୬୦) ଓ ରାମ ନବାସ (୫୫) ନାମକ ଦୁଇଜଣ ଟ୍ରାକ୍‌ମ୍ୟାନ ଯମୁନା ବ୍ରିଜ୍‌ ଓ ତିଲକ୍‌ ବ୍ରିଜ୍‌ ମଧ୍ୟରେ ରହିଥିବା ରେଳ ଧାରଣାକୁ ସକାଳ ୭ଟା ୫୫ମିନିଟ ସମୟରେ ତଦାରଖ କରୁଥିବା ବେଳେ ଗୋଟିଏ ଧାରଣାରେ ଏକ ଛଅ ଇଞ୍ଚ ଲମ୍ବର ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ପାଇଥିଲେ। ଏପରିସ୍ଥିତିରେ କ’ଣ କରାଯିବ ଚିନ୍ତା କରୁଥିବା ବେଳେ ସେମାନେ ଦୂରରୁ ଟ୍ରେନ୍‌ର ହର୍ଣ୍ଣ ଶୁଣିବାକୁ ପାଇଥିଲେ। ସେତେବେଳକୁ ସେଇ ଲାଇନ୍‌ରେ ବରାଣସୀରୁ ନୂଆଦିଲ୍ଲୀ ଅଭିମୁଖେ ଶିବ ଗଙ୍ଗା ଏକ୍ସପ୍ରେସ୍‌ ଖୁବ୍‌ ଦ୍ରୁତଗତିରେ ମାଡ଼ି ଆସୁଥିଲା। ଏଘଟଣା ଦେଖି ଟ୍ରାକ୍‌ମ୍ୟାନ୍‌ ପ୍ରିୟସ୍ୱମୀ ଓ ରାମ ନିବାସଙ୍କ ହଲକ ଶୁଖିଯିବା ସହ ବୁଦ୍ଧିବଣା ହୋଇଯାଇଥିଲା। କାରଣ, ସେମାନେ ଜାଣିଥିଲେ ଯେ ଯଦି ଫାଟ ସୃଷ୍ଟି ହୋଇଥିବା ଧାରଣା ଉପର ଦେଇ ଦ୍ରୁତଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଯାଉଛି ତେବେ ଲାଇନ୍‌ଚ୍ୟୁତ ହେବା ଅନିବାର୍ଯ୍ୟ।

 

ତେଣୁ, କୌଣସି ମତେ ଟ୍ରେନ୍‌ଟିକୁ ଫାଟ ସୃଷ୍ଟି ହୋଇଥିବା ଧାରଣା ନିକଟରେ ପହଞ୍ଚିବା ପୂର୍ବରୁ ଅଟକାଇ ଦେବା ଲକ୍ଷ୍ୟରେ ସେମାନେ ଦୁଇଜଣ ଅଣ୍ଟାରେ ଭିଡ଼ିଥିବା ନାଲି ଗାମୁଛାକୁ ଖୋଲି ପକାଇ ତାକୁ ହାତରେ ପତାକା ସଦୃଶ ଧରି ଧାରଣା ଉପରେ ଟ୍ରେନ୍‌ ଆଡ଼କୁ ଦୌଡ଼ିଥିଲେ। ଅଳ୍ପ ଦୂରରୁ ଟ୍ରେନ୍‌ର ଡ୍ରାଇଭର ଧାରଣା ଉପରେ ଦୁଇଜଣ ବ୍ୟକ୍ତି ନାଲି ପତାକା ଧରି ଟ୍ରେନ୍‌ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଥିବା ଦେଖିବା ପରେ କିଛି ବିପଦର ଆଶଙ୍କା କରି ଟ୍ରେନ୍‌ର ଗତିକୁ କମ୍‌ କରିଦେବା ସହ ଜରୁରିକାଳୀନ ବ୍ରେକ୍‌ର ପ୍ରୟୋଗ କରି ଫାଟ ଥିବା ଧାରଣାର ଠିକ୍‌ ୧୦୦ମିଟର ପୂର୍ବରୁ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ପରେ ଇଞ୍ଜିନ୍‌ରୁ ଓହ୍ଲାଇ ଟ୍ରେନ୍‌ ଡ୍ରାଇଭର ଯେତେବେଳେ ଧାରଣାରେ ଥିବା ଛଅ ଇଞ୍ଚ ଲମ୍ବର ଫାଟକୁ ଦେଖିଲେ ସେତେବେଳେ ତାଙ୍କ ନିଜ ଦେହରୁ ମଧ୍ୟ ଝାଳ ବୋହି ଯାଇଥିଲା। ସେ ଦୁଇ ଜଣ ଟ୍ରାକ୍‌ମ୍ୟାନ୍‌ଙ୍କୁ ସେମାନଙ୍କର ଏହି ପ୍ରଶଂସନୀୟ ଉଦ୍ଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ। ଘଟଣା ସଂପର୍କରେ ଖବର ପାଇ ବରିଷ୍ଠ ଅଧିକାରୀମାନେ ଓ ଇଞ୍ଜିନିୟରମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଏହି ଦୁଇଜଣ ଟ୍ରାକ୍‌ମ୍ୟାନ୍‌ଙ୍କ ସହ ଅନ୍ୟ ଗ୍ୟାଙ୍ଗ୍‌ମ୍ୟାନମାନେ ଦୀର୍ଘ ଦେଢ଼ଘଣ୍ଟା କାଳ ପରିଶ୍ରମ କରି ଧାରଣାରେ ସୃଷ୍ଟି ହୋଇଥିବା ଫାଟକୁ ସଜାଡ଼ିବା ପରେ ଏହି ଧାରଣା ଉପର ଦେଇ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଉତ୍ତର ରେଲେଓ୍ଵର ଡେପୁଟି ରେଲେଓ୍ଵ ମ୍ୟାନେଜର ଆର୍‌ ଏନ୍‌ ସିଂହ, ଟ୍ରାକ୍‌ମ୍ୟାନ୍‌ ପ୍ରିୟସ୍ୱାମୀ ଓ ରାମ ନବାସଙ୍କ ଏପରି ସାହସିକ କାର୍ଯ୍ୟର ପ୍ରଶଂସା କରିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି। ତେବେ, ରାମ ନିବାସଙ୍କ ପାଇଁ ଏହା କିଛି ନୂଆକଥା ନୁହେଁ; ତିନି ବର୍ଷ ପୂର୍ବେ ସମାନ ଘଟଣାକ୍ରମରେ ସେ ଆଉ ଏକ ଯାତ୍ରୀବାହୀ ଟ୍ରେନ୍‌କୁ ଦୁର୍ଘଟଣାରୁ ବଞ୍ଚାଇବାରେ ମଧ୍ୟ ସମର୍ଥ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି ଉତ୍ତର ରେଲେଓ୍ଵର ଡେପୁଟି ରେଲେଓ୍ଵ ମ୍ୟାନେଜର ଆର୍‌ ଏନ୍‌ ସିଂହ।

ସମ୍ବନ୍ଧିତ ଖବର