ଲଖନଉ: ରୋଗୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ | ହେଲେ ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ଡିଜେଲ | ଯନ୍ତ୍ରଣାରେ ରୋଗୀ ଛଟପଟ ହେଉଥିବାବେଳେ ଆମ୍ବୁଲାନ୍ସକୁ ଟାଣି ଟାଣି ନେଲା ଟ୍ରାକ୍ଟର | ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଏକ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଚକିତ ଚିତ୍ର ସାମ୍ନାକୁ ଆସିଛି। ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ଡିଜେଲ ରାସ୍ତା ମଝିରେ ସରିଯାଇଥିଲା । ଆଉ ଏହା ପରେ ଟ୍ରାକ୍ଟର ଆସି ଆମ୍ବୁଲାନ୍ସକୁ ଟାଣିନେଇ ପେଟ୍ରୋଲ ପମ୍ପକୁ ନେବାକୁ ପଡିଥିଲା | ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ଉତ୍ତରପ୍ରଦେଶର ବିଜନୋରର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା |

Advertisment

ଆମ୍ବୁଲାନ୍ସ ଆସିବା ପରେ ମହିଳାଙ୍କୁ ମେରଠରେ ଥିବା ମେଡିକାଲ କଲେଜକୁ ନିଆଯାଉଥିଲା। ତେବେ ପୋୖଡି ରାଜପଥରେ ଆମ୍ବୁଲାନ୍ସ ହଠାତ୍ ଅଟକି ଯାଇଥିଲା। ଡ୍ରାଇଭର ଜାଣିବାକୁ ପାଇଥିଲେ ଯେ ଗାଡ଼ିରୁ ଡିଜେଲ ସରିଯାଇଛି। ଏହା ପରେ ରାସ୍ତାରେ ଯାଉଥିବା ଏକ ଟ୍ରାକ୍ଟରର ସାହାଯ୍ୟ ନେବାକୁ ପଡିଥିଲା | ଟ୍ରାକ୍ଟରରେ ବନ୍ଧା ହୋଇ ଆମ୍ବୁଲାନ୍ସକୁ ୪ କିଲୋମିଟର ପର୍ଯ୍ୟନ୍ତ ଟାଣି ନିଆଯାଇଥିଲା।

ଏହି ସମୟରେ ଆମ୍ବୁଲାନ୍ସରେ ଥିବା ମହିଳା ରୋଗୀ ଜଣକ ଯନ୍ତ୍ରଣା ଯୋଗୁଁ ଚିତ୍କାର କରୁଥିଲେ ବି ଅନ୍ୟ କିଛି ବାଟ ନଥିଲା | ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଡାକ୍ତରଖାନା ଏବଂ ମେଡିକାଲ କଲେଜଗୁଡ଼ିକରେ ଖାଲି ଥିବା ପଦବୀକୁ ତୁରନ୍ତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗୀ ନିର୍ଦ୍ଦେଶ ଦେଇଥିଲେ ଯେ ରାଜ୍ୟର ଖରାପ ଅବସ୍ଥାରେ ଥିବା ଆମ୍ବୁଲାନ୍ସକୁ ବଦଳାଇ ନୂତନ ଆମ୍ବୁଲାନ୍ସ କିଣିବା ସହ ସ୍ୱାସ୍ଥ୍ୟ ବିଭାଗରେ ଖାଲି ଥିବା ପଦବୀକୁ ତୁରନ୍ତ ପୂରଣ କରାଯାଉ ।