ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ଅଶାନ୍ତ; ପରିସ୍ଥିତି ସମ୍ଭାଳିବାକୁ ଅର୍ଦ୍ଧ ସାମରିକ ବଳ ମୁତୟନ ନିର୍ଦ୍ଦେଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଆଜି ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବା ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଆନ୍ଦୋଳନରତ କୃଷକ ଓ ପୁଲିସ୍‌ ମଧ୍ୟରେ ହୋଇଥିବା ସଂଘର୍ଷରେ ୧୮ ଜଣ ପୁଲିସ୍‌ କର୍ମୀ ଆହତ ହେବା ସହ ଚିକିତ୍ସା ପାଇଁ ସେମାନଙ୍କୁ ଏଲଜେଏଲପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ପୁଲିସ୍‌ କର୍ମୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜାଣିବାକୁ ମିଳିଛି। ସେହିପରି ନିଜ ଟ୍ରାକ୍ଟରରେ ବ୍ୟାରକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଚାଷୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି।

ରାଜଧାନୀ ଦିଲ୍ଲୀର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ଏହାର ସମୀକ୍ଷା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ୱରାଷ୍ଟ ମନ୍ତ୍ରୀ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବୈଠକରେ ସମୀକ୍ଷା କରିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଦିଲ୍ଲୀରେ ୧୫ କମ୍ପାନି ଅର୍ଦ୍ଧ ସାମରିକ ବଳଙ୍କୁ ତୁରନ୍ତ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ ମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଶାହାଙ୍କ ସହ ଗୃହ ସଚିବ ଅଜୟ ଭାଲ୍ଲା ଏବଂ ଦିଲ୍ଲୀ ପୁଲିସ କମିଶନର ଏସ.ଏନ୍‌ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ହଜାର ହଜାର କୃଷକ ସୀମାରେ ବ୍ୟାରିକେଡ୍‌ ଭାଙ୍ଗିବା ପରେ ସହମତ ହୋଇଥିବା ରୁଟରୁ ବିଚ୍ଛିନ୍ନ ହୋଇ ସହରର ମଧ୍ୟଭାଗରେ ପହଞ୍ଚିବା ପରେ ପୁଲିସ୍‌ ସହ ସେମାନଙ୍କର ସଂଘର୍ଷ ଆରମ୍ଭ କରିଥିଲେ। ରାଜଧାନୀରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କଲାପରେ ଦିଲ୍ଲୀରେ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଜାତୀୟ ରାଜଧାନୀରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ଏବଂ ଶାନ୍ତି ବଜାୟ ରଖିବା ପାଇଁ ଦିଲ୍ଲୀ ପୁଲିସ ପଦକ୍ଷେପ ଗ୍ରହଣ କରୁଥିବା ସମ୍ପର୍କରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସୂଚନା ଦେଇଛନ୍ତି। ବୈଠକରେ ଦିଲ୍ଲୀ ପୁଲିସ କମିଶନର ଏସ.ଏନ୍‌ ଶ୍ରୀବାସ୍ତବ ଏବଂ ଗୁଇନ୍ଦା ବିଭାଗ (ଆଇବି) ନିର୍ଦ୍ଦେଶକ ଅରବିନ୍ଦ କୁମାର ମଧ୍ୟ ଯୋଗ ଦେଇଥିଲେ। ବୈଠକ ପରେ ଦିଲ୍ଲୀ- ଏନ୍‌ସିଆର ଅଞ୍ଚଳରେ ୧୨ ଘଣ୍ଟା ପାଇଁ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆନ୍ଦୋଳନରତ କୃଷକମାନଙ୍କୁ ହିଂସା ପରିହାର କରି ଶାନ୍ତି ବଜାୟ ରଖିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ କୃଷକମାନେ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିଥିଲେ। ସେମାନେ ସେମାନଙ୍କ ଉଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲିରେ ନ ଯାଇ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀ ସହର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକାଇବାକୁ ଗଲାବେଳେ ପୁଲିସ୍‌ ସହ ସେମାନଙ୍କର ସଂଘର୍ଷ ଆରମ୍ଭ ହୋଇ ହିଂସାତ୍ମକ ରୂପ  ନେଇଥିଲା। ବିଭିନ୍ନ ଦିଗରୁ ସେମାନେ ପୁଲିସ ସହିତ ସଂଘର୍ଷ ଆରମ୍ଭ କରିବା ସହ ପୁଲିସ୍‌ ଉପରକୁ ପଥର ଫିଙ୍ଗିଥିଲେ। ପରେ ସେମାନେ ଲାଲକିଲ୍ଲା ଭିତରକୁ ମଧ୍ୟ ପଶି ଯାଇଥିଲେ।

ସମ୍ବନ୍ଧିତ ଖବର