ଟ୍ରାକ୍ଟର ରାଲିକୁ ଅନୁମତି ଦେଲା ଦିଲ୍ଲୀ ପୁଲିସ: ଗୁଜବ ସୃଷ୍ଟି ପାଇଁ ପ୍ରସ୍ତୁତ ପାକିସ୍ତାନ!

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଂଚଳରେ ଚାଲିଥିବା କୃଷକ ଆନ୍ଦୋଳନ ୨ ମାସ ପୁରା ହେବାକୁ ଯାଉଛି | ଆଜି ଆନ୍ଦୋଳନର ୫୮ ତମ ଦିନ ହୋଇଥିବାବେଳେ ଆସନ୍ତା ଜାନୁୟାରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଘୋଷଣା କରିଛନ୍ତି | ଆଜି ଦିଲ୍ଲୀ ପୁଲିସ କୃଷକଙ୍କ ଏହି ଟ୍ରାକ୍ଟର ରାଲିକୁ ସର୍ତ୍ତମୂଳକ ଅନୁମତି ଦେଇଛି | ଦିଲ୍ଲୀର ତିନିଟି ସ୍ଥାନରେ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ପୁଲିସ ଅନୁମତି ଦେଇଛି | ଏହି ତିନିଟି ସ୍ଥାନରେ ଲାଗିଥିବା ବ୍ୟାରିକେଡ଼କୁ ହଟାଇଦିଆଯିବ | କିଛି ସର୍ତ୍ତ ସହିତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦିଆଯାଇଛି |

ଟ୍ରାକ୍ଟର ରାଲିକୁ ନେଇ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଦେବେନ୍ଦ୍ର ପାଠକ କହିଛନ୍ତି ଯେ ବିଭିନ୍ନ ଗୁପ୍ତଚର ତଥା ଅନ୍ୟାନ୍ୟ ଏଜେନ୍ସି ମାଧ୍ୟମରେ ସୂଚନା ମିଳିଛି ଯେ କିଛି ବ୍ୟକ୍ତି ଟ୍ରାକ୍ଟର ରାଲିରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି | ଏହା ବ୍ୟତୀତ ଗୁଜବ ପ୍ରଚାର କରିବା ପାଇଁ ପାକିସ୍ତାନରୁ ୩୦୮ ଟ୍ୱିଟର ହ୍ୟାଣ୍ଡେଲ ପ୍ରସ୍ତୁତ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ସହ ଆଲୋଚନା ପରେ ଟ୍ରାକ୍ଟର ରାଲିକୁ ଅନୁମତି ଦିଆଯାଇଛି।

ଏହି ସମୟ ମଧ୍ୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ, ଯାହାଫଳରେ ଗଣତନ୍ତ୍ର ଦିବସ ପାଳନରେ କୌଣସି ଅସୁବିଧା ହେବ ନାହିଁ। ଟ୍ରାକ୍ଟର ରାଲି ଟିକ୍ରି, ସିଙ୍ଗୁ ଏବଂ ଗାଜିପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିବ। ରାଲି ପରେ ଟ୍ରାକ୍ଟର ଗୁଡିକ ସେହି ସ୍ଥାନକୁ ଫେରିଯିବ, ଯେଉଁଠାରୁ ଟ୍ରାକ୍ଟର ରାଲି ଆରମ୍ଭ ହୋଇଥିବ |

ସମ୍ବନ୍ଧିତ ଖବର