ଓଡ଼ିଶା ମଣ୍ଡପ ବୁଲିଲେ ୪୦ ହଜାର ଦର୍ଶକ

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଗତି ମଇଦାନରେ ଉଦଯାପିତ ହୋଇଥିବା ୩୮ତମ ଭାରତ ଅନ୍ତର୍ଜାତୀୟ ମେଳାରେ ପାଖାପାଖି ୪୦ ହଜାର ଦର୍ଶକ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଛନ୍ତି। ୧୪ ଦିନର ମେଳାକୁ ମୋଟ ୫ ଲକ୍ଷ ଦର୍ଶକ ପରିଦର୍ଶନ କରିଥିବାବେଳେ ଓଡ଼ିଶା ମଣ୍ଡପରେ ଅନ୍ୟବର୍ଷ ଗୁଡ଼ିକ ତୁଳନାରେ ଏଥର ଦର୍ଶକଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି। ସ୍ଥାୟୀ ଭାବେ ନିର୍ମିତ ଓଡ଼ିଶା ପାଭିଲିୟନକୁ ଚଳିତବର୍ଷ ପ୍ରଗତି ମଇଦାନର ପୁନଃନିର୍ମାଣ ଲାଗି ଭାଙ୍ଗି ଦିଆଯାଇଥିବାରୁ ୧୭୦ ବର୍ଗମିଟର ଜାଗାରେ ଏଥର ମଣ୍ଡପ ସ୍ଥାପନ କରାଯାଇଥିବାରୁ ଦର୍ଶକମାନଙ୍କ ସଂଖ୍ୟାରେ ହ୍ରାସ ଘଟିଥିବା ପାଭିଲିୟନ ଦାୟିତ୍ବରେ ଥିବା ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶା ମଣ୍ଡପରେ ଯେଉଁସବୁ ଷ୍ଟଲ ଖୋଲିଥିଲା ସେଥିରେ ହସ୍ତତନ୍ତ ବୟନଶିଳ୍ପ ସାମଗ୍ରୀର ଚାହିଦା ଅଧିକ ଥିଲା। ଓରମାସ ଦ୍ବାରା ପ୍ରଦର୍ଶିତ ସାମଗ୍ରୀଗୁଡ଼ିକର ବିକ୍ରି ସନ୍ତୋଷଜନକ ଥିଲା। ତେବେ ଏଥର ମଧ୍ୟ ଓଡ଼ିଶା ମଣ୍ଡପକୁ କୌଣସି ପୁରସ୍କାର ମିଳିପାରି ନଥିଲା। ସେଥିପାଇଁ ପ୍ରଦର୍ଶକମାନେ ନିରାଶ ହୋଇଥିଲେ। ଆସନ୍ତାବର୍ଷଠାରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ନବନିର୍ମିତ କନଭେନସନ ହଲରେ ଆୟୋଜନ ହେବ ବୋଲି ଆଇଟିପିଓ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର