ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦିଲ୍ଲୀ ଟ୍ରାଫିକ୍ ପୁଲିସର ଜଣେ କନେଷ୍ଟବଳଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭାଇରାଲ ଭିଡିଓଟି ଗତ ବର୍ଷ ନଭେମ୍ବର ମାସର ବୋଲି କୁହାଯାଉଛି।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଟ୍ରାଫିକ୍ ପୁଲିସର ଜଣେ କନେଷ୍ଟବଳ ଚାଲାଣ କାଟିବା ପାଇଁ ଏକ ଗାଡ଼ିକୁ ରାସ୍ତାରେ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଚାଳକ ଚାଲାଣ କଟିବା ଭୟରେ ଗାଡ଼ିକୁ ନ ଅଟକାଇ ଟ୍ରାଫିକ୍ ପୁଲିସ କନେଷ୍ଟବଳଙ୍କ ଉପରେ ଚଢ଼ାଇ ଦେଇ ଚାଲି ଯିବାକୁ ଉଦ୍ୟମ କରୁଛନ୍ତି। ଟ୍ରାଫିକ୍ ପୁଲିସ ଜଣକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଗାଡ଼ିର ବନେଟ୍ ଉପରେ ଚଢ଼ି ଯାଉଛନ୍ତି। ଏହି ସମୟରେ ଗାଡ଼ି ଭିତରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ‘ଗାଡ଼ି ଭଗା...’, ‘ଗାଡ଼ି ଭଗା..’ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
Traffic violator drags cop on bonnet in Delhi. And the co-passenger recorded it on his mobile. @dtptraffic@DelhiPolicepic.twitter.com/g1hAozgYJx
— Saurabh Trivedi (@saurabh3vedi) February 2, 2020
ଭିଡିଓରେ ବନେଟ୍ ଉପରେ ଚଢ଼ି ଥିବା ଟ୍ରାଫିକ୍ କନେଷ୍ଟବଳ ସୁନୀଲ ବାରମ୍ବାର ଚାଳକଙ୍କୁ ଗାଡ଼ି ଅଟକାଇବା ପାଇଁ କହୁଛନ୍ତି। କିନ୍ତୁ ଗାଡ଼ି ଚଳାଉଥିବା ବ୍ୟକ୍ତି ଜଣକ ଟ୍ରାଫିକ୍ କନେଷ୍ଟବଳଙ୍କ କୌଣସି କଥା ନଶୁଣି ଗାଡ଼ିକୁ ଆଗକୁ ଆଗକୁ ଚଲାଇ ନେଉଛନ୍ତି।
ପାଖାପାଖି ୨କିମି ବାଟ ଗଲା ପରେ ଯାଇ କାର ଚାଳକ ରାସ୍ତାର ଏକ ପାର୍ଶ୍ୱରେ ଗାଡ଼ିକୁ ଅଟକାଉଛନ୍ତି। ଏହାପରେ କନେଷ୍ଟବଳ ସୁନୀଲ ପ୍ରାଣବିକଳରେ ବନେଟ୍ରୁ ତଳକୁ ଓହ୍ଲାଇ ପଡ଼ୁଛନ୍ତି। ଏହି ଦୃଶ୍ୟ ଦେଖି ଲାଗୁଛି କି ଗାଡ଼ି ଭିତରେ ଗାଡ଼ି ଚାଳକଙ୍କ ବ୍ୟତୀତ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରିଛନ୍ତି ।
ସୋସିଆଲ ମିଡିଆ ଜରିଆରେ ଏହି ଭିଡିଓ ଏବେ ଦିଲ୍ଲୀ ପୁଲିସ ହାତରେ ଲାଗିଛି। ପୁଲିସ ସୂତ୍ରରୁ ପ୍ରକାଶ, ୨୦୧୯ ନଭେମ୍ବରରେ ନଙ୍ଗୋଲୋଇ ଅଞ୍ଚଳରେ ଏହି ଘଟଣାଟି ଘଟିଥିଲା। ଏହି ଭିଡିଓକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।