ସଫା ରଖନ୍ତୁ ଗାଡିର ନମ୍ବର ପ୍ଲେଟ: କାଦୁଅ ଲାଗିଥିଲେ ଦେବେ ଫାଇନ

ନୂଆଦିଲ୍ଲୀ: ଆପଣଙ୍କ ଗାଡିର ନମ୍ବର ପ୍ଲେଟରେ କାଦୁଅ ଲାଗି ଏହା ଦୃଶ୍ୟମାନ ହେଉ ନାହିଁ କି? ଯଦି ହଁ ତେବେ ତୁରନ୍ତ ଗାଡିର ନମ୍ବର ପ୍ଲେଟକୁ ସଫା କରିଦିଅନ୍ତୁ | ଯେଭଳି ଏହା ସମସ୍ତଙ୍କୁ ଦୃଶ୍ୟମାନ ହେବ ସେଥିପ୍ରତି ନଜର ରଖନ୍ତୁ | କାରଣ ଆପଣଙ୍କ ଗାଡିର କାଗଜପତ୍ର ଠିକ ଥିଲେ ବି ଯଦି ନମ୍ବର ପ୍ଲେଟ କାଦୁଅ ଯୋଗୁଁ ଦୃଶ୍ୟମାନ ହେଉନାହିଁ, ତେବେ ଫାଇନ ଦେବାକୁ ପଡିପାରେ | ସୂଚନା ମୁତାବକ ଯଦି ଆପଣଙ୍କର ନମ୍ବର ପ୍ଲେଟରେ କୌଣସି ପ୍ରକାରର ମଇଳା କିମ୍ବା ମାଟି ଲାଗିଥାଏ, ତେବେ ଏହାକୁ ତ୍ରୁଟିପୂର୍ଣ୍ଣ ନମ୍ବର ପ୍ଲେଟ୍ ଭାବରେ ବିବେଚନା କରାଯିବ ଏବଂ ଆପଣଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ |

ନମ୍ବର ପ୍ଲେଟ୍ ବ୍ୟତୀତ, ଯଦି ଆପଣଙ୍କର ଗାଡି ଡକ୍ୟୁମେଣ୍ଟରେ କୌଣସି ତ୍ରୁଟି ଥାଏ, ତେବେ ଏଥିପାଇଁ ପୃଥକ ଭାବରେ ଚାଲାଣ କଟାଯିବ | ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର (ଟ୍ରାଫିକ) ମୁକେଶ ଚାନ୍ଦର ଏ ବିଷୟରେ ସୂଚନା ଦେଇଛନ୍ତି। ଚାନ୍ଦରଙ୍କ କହିବା ଅନୁଯାୟୀ, ଟ୍ରାଫିକ୍ ପୁଲିସର ନଜରରୁ ବର୍ତ୍ତିବା ପାଇଁ କିଛି ବ୍ୟକ୍ତି ଗାଡିର ନମ୍ବର ପ୍ଳେଟକୁ ଲୁଚାଇଦେଇଥାନ୍ତି | ନମ୍ବର ପ୍ଲେଟଗୁଡ଼ିକୁ ଲୁଚାଇ ଦିଲ୍ଲୀରେ ବିଭିନ୍ନ ଅପରାଧ କରିବା ପରେ ଅପରାଧୀ ଫେରାର ହୋଇଯାଆନ୍ତି |

ବର୍ତ୍ତମାନ କିଛି ଘଟଣାରେ ଅପରାଧୀମାନେ ବ୍ୟବହାର କରୁଥିବା ଗାଡିର ନମ୍ବର ପ୍ଲେଟରେ କାଦୁଅ ଲଗାଇ ଏହାକୁ ଲୁଚାଇ ଦେଉଛନ୍ତି | ଆଉ ଅପରାଧ କଲେ ବି ନମ୍ବର ପ୍ଲେଟ ଦୃଶ୍ୟମାନ ହେଉନଥିବାରୁ ସେମାନଙ୍କୁ ଧରାଯାଇପାରୁନାହିଁ | ତେଣୁ ଏବେ ଦିଲ୍ଲୀ ଟ୍ରାଫିକ ପୁଲିସ ସେହି ସବୁ ଗାଡି ଉପରେ ନଜର ରଖିଛି ଯାହାର ନମ୍ବର ପ୍ଲେଟ ଦୃଶ୍ୟମାନ ହେଉନାହିଁ | ଏହିପରି ଗାଡି ଧରିବା ପରେ ସେମାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ନମ୍ବର ପ୍ଲେଟର ଜରିମାନା ଲାଗୁ କରାଯିବ ଏବଂ ଏହି ନମ୍ବର ପ୍ଲେଟରେ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯିବ।

ସମ୍ବନ୍ଧିତ ଖବର