ଦିଲ୍ଲୀରୁ ଏହି ସ୍ଥାନକୁ ଯାଉଥିବା ହମସଫର ଏକ୍ସପ୍ରେସର ଦୁଇଟି ବଗି ଲାଇନଚ୍ୟୁତ

ନୂଆଦିଲ୍ଲୀ: ଦିଲ୍ଲୀରୁ କଟିହାର ଅଭିମୁଖେ ଯାଉଥିବା ଚମ୍ପାରଣ ହମସଫର ଏକ୍ସପ୍ରେସର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଛନ୍ତି | ଏହି ଦୁର୍ଘଟଣା ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଗାହ ହରିନଗର ଷ୍ଟେସନ ନିକଟରେ ଘଟିଛି। ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନାହିଁ। ଅନ୍ୟପଟେ ଦୁର୍ଘଟଣା ପରେ ରେଳବାଇ ହେଲ୍ପଲାଇନ ନମ୍ବର ଜାରି କରିଛି। ଦୁର୍ଘଟଣା ପରେ ଗୋରଖପୁର-ମୁଜାଫରପୁର ରୁଟ ବ୍ୟାହତ ହୋଇଛି।

ସୂଚନାନୁସାରେ, ଶନିବାର ଦିନ ଅପରାହ୍ନ ପ୍ରାୟ ସାଢେ ୩ଟାରେ ସମସ୍ତିପୁର ଡିଭିଜନର ପାନିଆହୱା-ନର୍କଟିୟାଗଞ୍ଜ ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ କଟିହାର ଅଭିମୁଖେ ଯାଉଥିବା ଚମ୍ପାରଣ ହମସଫର ଏକ୍ସପ୍ରେସ(୧୫୭୦୬)ର ଏସ-୧ ଏବଂ ଏସ-୨ ଲାଇନଚ୍ୟୁତ ହେବା ପରେ ଟ୍ରେନ ଅଟକିଯାଇଥିଲା | ତେବେ ଟ୍ରେନର ବେଗ କମ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିଲା | ଟ୍ରେନରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ଦୁର୍ଘଟଣା ବାବଦରେ ଜଣାପଡିବା ପରେ ଘଟଣାସ୍ଥଳକୁ ପୁଲିସ ଏବଂ ରେଳ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ।

ବର୍ତ୍ତମାନ ଟ୍ରାକ୍ କ୍ଲିୟର କରିବାକୁ ପ୍ରୟାସ ଚାଲିଛି | ଚମ୍ପାରଣ ହମସଫର ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାରର ସୁବିଧା ପାଇଁ ରେଳବାଇ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର କହିଛନ୍ତି ଯେ ଯାତ୍ରୀମାନେ 7206936798, 9771428963 ନମ୍ବରକୁ କଲ କରି ସହାୟତା ଏବଂ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର