ନୂଆଦିଲ୍ଲୀ : ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ମା’ଙ୍କ ମୃତ୍ୟୁ ହୋଇଛି ବୋଲି ମିଛ କହି ଚାକିରି ଦାବି କରିଥିବା ପାଟନାର ଜଣେ ଯୁବକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ସୂଚନା ମୁତାବକ, ବିହାରର ପାଟନା ନିବାସୀ ୪୨ ବର୍ଷିୟ ସଞ୍ଜୟ କୁମାର ବ‌ାଲେଶ୍ବର ରେଳ ଦୁର୍ଘଟଣାରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଛି ଓ ତାଙ୍କୁ ସରକାରୀ ଚାକିରି ଦିଆଯାଉ ବୋଲି ଦାବି କରିବାକୁ ପାଟଣାରୁ ଦିଲ୍ଲୀ ଆସିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଅନ୍ୟ ରେଳ ଅଧିକାରୀଙ୍କୁ ସାକ୍ଷାତ କରି ଚାକିରି ପାଇଁ ଦାବି କରିବାକୁ ତାଙ୍କ ଯୋଜନା ଥିଲା।

Advertisment

ସଞ୍ଜୟ ପ୍ରଥମେ ରେଳମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଯାଇଥିଲା। ସେଠାରେ ତାକୁ ରେଳ ଭବନକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ରେଳ ଭବନରେ କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଗ୍ରସର ହେବା ସମୟରେ ଅଧିକାରୀମାନେ ତାଙ୍କ ଦାବି ଉପରେ ସନ୍ଦେହ ପ୍ରକାଶ କରିଥିଲେ ଓ ତନାଘନା କରିଥିଲେ। ବ୍ୟକ୍ତି ଜଣକ ବାରମ୍ବାର ତାଙ୍କ ବୟାନକୁ ବଦଳାଉଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ହୋଇଥିବା ନେଇ ଦାବି କରୁଥିଲେ ମଧ୍ୟ ଯାତ୍ରାର କୌଣସି ପ୍ରମାଣ ଦେଇପାରିନଥିଲେ। ଜଣାପଡ଼ିଥିଲା ଯେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇନାହିଁ। ଅନ୍ୟପକ୍ଷରେ ୨୦୧୮ରେ ମା’ଙ୍କ ମୃତ୍ୟୁ ହୋଇଥିବା ତନାଘନା ବେଳେ ଜଣାପଡ଼ିଥିଲା।