ଟ୍ରେନ ଦୁର୍ଘଟଣା: ସାରା ରାତି ଉଦ୍ଧାର କାର୍ଯ୍ୟ ଜାରି ରହିବ

ଭୁବନେଶ୍ବର: ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ କରମଣ୍ଡଳ, ମାଲବାହୀ ଟ୍ରେନ ଓ ବାଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ଭିତରେ ଧକ୍କା ହୋଇଛି। ତେବେ ଏହି ଭୟାବହ ଦୁର୍ଘଟଣାରେ ପ୍ରାୟ ୩ଶହରୁ ୪ଶହ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ପ୍ରକୃତ କେତେଜଣଙ୍କର ମୃତ୍ୟୁ ହୋଇଛି ତାହାର ସଠିକ ସଂଖ୍ୟା ମିଳିନାହିଁ। ଉଦ୍ଧାର କାର୍ଯ୍ୟରେ ଜିଲ୍ଲା କଲେକ୍ଟର, ଏସପି, ଆଇଜି ରେଞ୍ଜ ପୁଲିସ, ୪ ଓଡ୍ରାଫ, ୩ ଏନଡିଆରଏଫଟିମ, ୨୦ ଅଗ୍ନିଶମ ବାହିନୀ, ୫୦୦ରୁ ୬୦୦ ଉଦ୍ଧାରକାରୀ ନିୟୋଜିତ ଅଛନ୍ତି।

ଇନଫ୍ଲେଟେଡ ଟାୱାର ଲାଇଟ ବ୍ୟବସ୍ଥା କରାଯାଇଛି। ବାଲେଶ୍ବର ମେଡିକାଲ କଲେଜ, ଜିଲ୍ଲା ହସପିଟାଲ, ଭଦ୍ରକ ଜିଲ୍ଲା ହସପିଟାଲ, ଯାଜପୁର ଜିଲ୍ଲା ହସପିଟାଲକୁ ପ୍ରସ୍ତୁତ ରଖାଯାଇଛି। ଏଥି ସହିତ ଏସସିବି ଓ ଭୁବନେଶ୍ବର ଏମ୍ସରେ ବି ସମସ୍ତ ବ୍ୟବସ୍ଥା କରାଯାଇଛି। ଆହତମାନଙ୍କୁ ବଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଉଛି। ଘଟଣାସ୍ଥଳରେ ୫୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପ୍ରାୟ ୪୦ରୁ ୫୦ ବସ ବି ଆହତମାନଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ପାଇଁ ନିୟୋଜିତ କରାଯାଇଛି। ସାରା ରାତି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର