ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ସେନା ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଥିବା ପ୍ରୟାସ ପଣ୍ଡ ହୋଇଛି। ରେଳ ଧାରଣାରୁ ୧୦ଟି ଡେଟୋନେଟର ମିଳିଥିବା ବେଳେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଜାରି ରହିଛି। ସେନାର ସ୍ୱତନ୍ତ୍ର ଟ୍ରେନ୍ ଜମ୍ମୁ-କଶ୍ମୀରରୁ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରୁଥିବା ବେଳେ ସଗଫାଟା ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ୍ ଡେଟୋନେଟରକୁ ଅତିକ୍ରମ କରିବା ପରେ ବିସ୍ଫୋରଣ ଯୋଗୁଁ ଡ୍ରାଇଭର ସତର୍କ ହୋଇ ଯାଇଥିଲେ ଏବଂ ତୁରନ୍ତ ଟ୍ରେନ୍ ଅଟକାଇ ଦେଇଥିଲେ। ଏହାପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍), ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ), ରେଳବାଇ ଏବଂ ସ୍ଥାନୀୟ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ଘଟଣାସ୍ଥଳରୁ ୧୦ଟି ଡିଟୋନେଟର ଜବତ କରାଯାଇଛି।
ଅନ୍ୟ ଏକ ଘଟଣାରେ ୟୁପିରେ ମଧ୍ୟ ରେଳ ଧାରଣାରୁ ଗ୍ୟାସ ସିଲିଣ୍ଡର ମିଳିଛି। ଟ୍ରେନ୍ ଲାଇନ୍ଚ୍ୟୁତ କରିବା ପାଇଁ ସେଠାରେ ମଧ୍ୟ ଷଡ଼୍ଯନ୍ତ୍ର ଉଦ୍ୟମ ବିଫଳ ହୋଇଛି। ଉତ୍ତରପ୍ରଦେଶର କାନପୁରର ପ୍ରେମପୁର ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଆଜି ଏକ ଖାଲି ଗ୍ୟାସ ସିଲିଣ୍ଡର ମିଳିଥିଲା। ମାଲବାହୀ ଟ୍ରେନ୍ ଲୋକୋ ପାଇଲଟ ଟ୍ରେନ୍କୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ୍ ଲଗାଇ ଥିଲେ।
କାନପୁରରୁ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଯାଉଥିବା ବେଳେ ସକାଳ ୮ଟା ୧୦ମିନିଟରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ସିଲିଣ୍ଡରଟି ୫ କିଲୋଗ୍ରାମ କ୍ଷମତା ବିଶିଷ୍ଟ ଏବଂ ଏହାକୁ ଟ୍ରାକ୍ରୁ ହଟାଇ ଦିଆଯାଇଥିଲା। ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।
ଚଳିତ ମାସରେ ଉତ୍ତରପ୍ରଦେଶରେ ଏହା ଦ୍ୱିତୀୟ ଘଟଣା। ଗତ ସେପ୍ଟେମ୍ବର ୮ ତାରିଖରେ ପ୍ରୟାଗରାଜରୁ ଭିୱାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସ୍ ରେଳ ଧାରଣା ଉପରେ ଏଲ୍ପିଜି ସିଲିଣ୍ଡର ରଖି ଏହାକୁ ଲାଇନଚ୍ୟୁତ କରିବାକୁ ଷଡ଼୍ଯନ୍ତ୍ର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/6PhNkl2WkHCGWcSaOeiZ.jpg)