କୋଲକାତା: ମାତ୍ର ସାତ ବର୍ଷର ନାବାଳକ ପାଇଁ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି। ମୁକୁନ୍ଦପୁରର ଦୀପ୍ ନସ୍କର (୭) ସୋମବାର ମଧ୍ୟାହ୍ନରେ ନିଜ ଘର ନିକଟରେ ଥିବା ରେଳ ଧାରଣା ନିକଟରେ ଖେଳୁଥିଲା। ହଠାତ୍ ତା ନଜର ପଡ଼ିଲା ରେଳ ଧାରଣାରେ ଥିବା ଏକ ଫାଟ ଉପରେ। ସେ ତୁରନ୍ତ ଯାଇ ମା’ଙ୍କୁ ଏକଥା କହିଲା। ଦୀପ୍ର ମା’ ପଡ଼ୋଶୀମାନଙ୍କୁ ଡାକିଆଣି ରେଳଧାରଣାର ଫାଟକୁ ଦେଖିଥିଲେ। ସମସ୍ତେ ନାଲି କପଡ଼ା ଧରି ରେଳ ଲାଇନ କଡ଼କୁ ଚାଲି ଆସିଥିଲେ। କିଛି ସମୟ ପରେ ସେହି ବାଟ ଦେଇ ସିଆଲଦା କ୍ୟାନିଂ ଷ୍ଟାଫ୍ ସ୍ପେସାଲ ଟ୍ରେନ୍ ଆସିଥିଲା।
ସମସ୍ତେ ହାତରେ ଧରିଥିବା ଲାଲ କପଡ଼ାକୁ ଦେଖାଇବାକୁ ଟ୍ରେନ୍ଟି ଅଟକିଥିଲା। ଟ୍ରେନ୍ ଡ୍ରାଇଭର ବିଦ୍ୟାଧରପୁର ବୁକିଂ ସୁପରଭାଇଜରଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ସେଠାରୁ ବିଭାଗୀୟ ଇଛଞ୍ଜିନିୟର ଏବଂ କର୍ମଚାରୀମାନେ ଆସି ରେଳଧାରଣା ମରାମତି କରିଥିଲେ। ୪୦ ମିନିଟ ପରେ ସେହି ଟ୍ରାକ୍ ଦେଇ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ଦ୍ବିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ୭ ବର୍ଷର ନାବାଳକର ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍ଟି ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇଗଲା। ସିଆଲ୍ଦା ଡିଆର୍ଏମ୍ ଦୀପ୍କୁ ୫ ହଜାର ଟଙ୍କା ପୁରସ୍କାର ଦେବା ସହ ତାର ବୁଦ୍ଧିକୁ ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/sf5456hs4f56h4f56shhhhhhhhhhhhhhh.jpg)