ବିହାରରେ ବନ୍ଦ ପାଳନ: ଟ୍ରେନ୍‌ ଚଳାଚଳ ଠପ୍‌, ୩୬୯ ଟ୍ରେନ୍‌ ବାତିଲ

ହିଂସା ପଛରେ କୋଚିଂ ସେଣ୍ଟର୍‌ ମାଲିକଙ୍କ ଷଡ଼୍‌ଯନ୍ତ୍ର

ନୂଆଦିଲ୍ଲୀ: ସେନାରେ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ଆନ୍ଦୋଳନ ଓ ହିଂସା ଥମିବାର ନାଁ ନେଉନି। ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ‌କେରଳ, ମଧ୍ୟପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ହରିୟାଣା, ପଶ୍ଚିମବଙ୍ଗ ଏବଂ ଜମ୍ମୁ କାଶ୍ମୀରରେ ଅଗ୍ନିପଥକୁ ବିରୋଧ କରି ଯୋଜନାବଦ୍ଧ ହିଂସା ଚାଲିଛି। ବିଶେଷ କରି ବିହାର ଏବଂ ଉତ୍ତରପ୍ରଦେଶରେ ଆନ୍ଦୋଳନ ଉଗ୍ର ରୂପ ନେଉଛି। ଆନ୍ଦୋଳନ ଯୋଗୁଁ ଦେଶବ୍ୟାପୀ ଆଜି ୩୬୯ ଟ୍ରେନ୍‌ ବାତିଲ କରାଯାଇଛି। ଏଥି ମଧ୍ୟରେ ୨୧୦ଟି ମେଲ୍‌/ଏକ୍ସପ୍ରେସ୍‌ ଏବଂ ୧୫୯ଟି ଲୋକାଲ ପାସେଞ୍ଜର‌ ଟ୍ରେନ୍‌ ଅଛି। ହିଂସା ବଢ଼ୁଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏନେଇ ସତର୍କ ରହିବାକୁ କହିଛନ୍ତି।

‘ଅଗ୍ନିପଥ’କୁ ବିରୋଧ କରି ବିହାରରେ ଆଜି ବନ୍ଦ ପାଳନ ହୋଇଛି। ଆର୍‌ଜେଡି ଏବଂ କେତେକ ବାମ ଛାତ୍ର ସଂଗଠନ ନେତୃତ୍ବରେ ବିହାରରେ ବନ୍ଦ ବେଳେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ପାଟନାରେ ଆଜି ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିହାରରେ ହିଂସା ପଛରେ କିଛି କୋଚିଂ ସେଣ୍ଟର୍‌ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଛାତ୍ରମାନଙ୍କୁ ମତାଇ ହିଂସା ଘଟାଇବାକୁ ପଠାଯାଉଥିବା ସଂକ୍ରାନ୍ତ କେତେକ ପ୍ରମାଣ ମିଳିବା ପରେ ଏହାର ତଦନ୍ତ କରାଯାଉଛି। ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର ସିଂହ କହିଛନ୍ତି, ଗିରଫ ହୋଇଥିବା କିଛି ଲୋକଙ୍କ ଫୋନ୍‌ରୁ ଉତ୍ତେଜନା ସୃଷ୍ଟିକାରୀ ହ୍ବାଟ୍ସଆପ୍‌ ମେସେଜ୍‌ ମିଳିଛି। ପ୍ରାୟ ୭-୮ଟି କୋଚିଂ ସେଣ୍ଟରର ଏହି ହିଂସାକାଣ୍ଡରେ ସାମିଲ ଥିବା ନେଇ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ଏକ ଅଡିଓ ମେସେଜ୍‌ରୁ ଜଣାପଡ଼ିଛି ଯେ ହିଂସା ପୂର୍ବ ପ୍ରାୟୋଜିତ। ଜାମୁଇ ଲୋକସଭା ସାଂସଦ ଚିରାଗ ପାଶ୍ବାନ ଆଜି ରାଜ୍ୟପାଳ ଫଗୁ ଚହ୍ବାନଙ୍କୁ ଏକ ସ୍ମାରକପତ୍ର ଦେବାପାଇଁ ରାଜଭବନ ଅଭିମୁଖେ ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଯାଇଥିଲେ। ବିହାରରେ ୨୪୧ ଟ୍ରେନ୍‌ ବାତିଲ ହୋଇଛି। ଆଜି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ବିହାରରେ ଟ୍ରେନ୍‌ ସେବା ବନ୍ଦ ରହିଛି। ଆସନ୍ତାକାଲି ଭୋର ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପୁଣିଥରେ ଟ୍ରେନ୍‌ ଚଳାଚଳ ବାତିଲ ରହିବ। ଆଜି ସକାଳେ ତେହତା ପୁଲିସ ଆଉଟପୋଷ୍ଟ୍‌ ବାହାରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ରୁଣ୍ଡ ହୋଇ ପଥର ମାଡ଼ କରିଥିଲେ। ଏହାପରେ ସେମାନେ ଅନେକ ବସ୍‌ ଏବଂ ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ରେଳ ଷ୍ଟେସନ୍‌ଗୁଡ଼ିକରେ ପୋଡ଼ାଜଳା ଏବଂ ଭଙ୍ଗାରୁଜା ଯୋଗୁଁ ପ୍ରାୟ ୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ୫୦ କୋଚ୍‌ ଏବଂ ୫ ଇଂଜିନ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି।

ହିଂସା ପ୍ରବଣ ସିକନ୍ଦରାବାଦରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ସିକନ୍ଦରାବାଦ ରେଳ ଷ୍ଟେସନ୍‌ରେ ପୁଲିସ ଗୁଳିମାଡ଼‌ରେ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ । କେରଳରେ ମଧ୍ୟ ଆଜି ଅଗ୍ନିପଥ ଯୋଜନାକୁ ବିରୋଧ କରି କେତେକ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ସେମାନେ ଥମ୍ପନୁର ନିକଟରୁ ରାଜଭବନ ଅଭିମୁଖେ ଆନ୍ଦୋଳନଯାତ୍ରା କରିଥିଲେ। ଆନ୍ଦୋଳନକାରୀମାନେ ଆଜି ରାଜସ୍ଥାନରେ ମଧ୍ୟ ବଡ଼ ଉପଦ୍ରବ କରିଛନ୍ତି। ଲୁଧିଆନାରେ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରାଯାଇଛି। ରାଜସ୍ଥାନର ଅଲୱରରେ ଆନ୍ଦୋଳନ ହିଂସାର ରୂପ ନେବାରୁ ଦିଲ୍ଲୀ-ଜୟପୁର ରାଜପଥ ବନ୍ଦ କରାଯାଇଛି। ରାଜସ୍ଥାନର ଜୟପୁର, ଯୋଧପୁର ଏବଂ ଝୁନଝୁନୁ ସମେତ ବିଭିନ୍ନ ସ୍ଥାନରେ ଆଜି ଆନ୍ଦୋଳନ ହୋଇଛି। ପଂଜାବର ଲୁଧିଆନା ରେଳ ଷ୍ଟେସନ୍‌ରେ ଭଙ୍ଗାରୁଜା ହୋଇଛି। ୮-୧୦ ଜଣ ଗିରଫ ହୋଇଛନ୍ତି।

ଉତ୍ତରପ୍ରଦେଶରେ ହିଂସା ପାଇଁ ପୁଲିସ ୨୫ରୁ ଅଧିକ ଲୋକଙ୍କୁ ଗିରଫ କରିଛି ଏବଂ ୪୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତରପ୍ରଦେଶର ବାଲିଆରେ ୨ ମାସ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହୋଇଛି। ଏହି ୨ ମାସ ସମୟ ମଧ୍ୟରେ ୫ରୁ ଅଧିକ ଲୋକ କୌଣସି ସ୍ଥାନରେ ଏକାଠି ହୋଇପାରିବେନି। ଲୋକମାନେ କୌଣସି ପ୍ରକାର ଆନ୍ଦୋଳନ କରିପାରିବେନି। ତେଲେଙ୍ଗାନାରେ ହୋଇଥିବା ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ପାଇଁ ରାଜ୍ୟ ସରକାର ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର