ଠିକରେ ନିଦ ହୋଇ ନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର

ବରେଲୀ: ନିଦ ଠିକରେ ହୋଇନଥିବାରୁ ଷ୍ଟେସନରେ ଟ୍ରେନ ଛିଡା କରାଇ ଶୋଇବାକୁ ଚାଲିଗଲେ ଡ୍ରାଇଭର | ଟ୍ରେନରେ ଶତାଧିକ ଯାତ୍ରୀ ଥିଲେ ବି ଟ୍ରେନ ଡ୍ରାଇଭର ଏଥିପ୍ରତି ଦୃଷ୍ଟି ନ ଦେଇ ୩ ଘଣ୍ଟା ପାଇଁ ଶୋଇବାକୁ ଚାଲିଯାଇଥିଲେ | ଉତ୍ତରପ୍ରଦେଶର ବରେଲୀରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବାଲାମୁରରୁ ଶାହାଜାହାନପୁର ଯାଉଥିବା ବାଲାମୁର ପାସେଞ୍ଜର ଟ୍ରେନର ଗୁରୁବାର ଦିନ ପ୍ରାୟ ସାଢେ ତିନି ଘଣ୍ଟା ବିଳମ୍ବରେ ଶାହାଜାହାନପୁର ଷ୍ଟେସନରେ ପହଞ୍ଚିଥିଲା ।

ପରଦିନ ସକାଳେ ଏହି ଟ୍ରେନ ଶାହାଜାହାନପୁରରୁ ବାଲାମୁରକୁ ଯିବାର ଥିଲା | ତେବେ ଟ୍ରେନ୍ ଚଳାଇଆସିଥିବା ଡ୍ରାଇଭର ଜଣକ ବିଳମ୍ବିତ ରାତିରେ ପହଞ୍ଚିବା ହେତୁ ଶୁକ୍ରବାର ସକାଳେ ଟ୍ରେନ୍ ନେବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ଯେତେବେଳେ ତାଙ୍କର ନିଦ ସମ୍ପୂର୍ଣ୍ଣ ହେବ, ସେତେବେଳେ ସେ ଟ୍ରେନ୍ ନେଇକିଯିବେ |

ଶାହାଜାହାନପୁରରୁ ଟ୍ରେନ୍ ସକାଳ ସାତଟାରେ ଛାଡିବାକୁ ଥିଲା, କିନ୍ତୁ ୯:୩୦ ପର୍ଯ୍ୟନ୍ତ ଟ୍ରେନ୍ ଷ୍ଟେସନରେ ଛିଡା ହୋଇ ରହିଥିଲା | ଏହି କାରଣରୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଷ୍ଟେସନ ଅଧୀକ୍ଷକ ଜେପି ସିଂ କହିଛନ୍ତି ଯେ ବାଲାମୁରରୁ ଟ୍ରେନ ଡ୍ରାଇଭର ପ୍ରତିଦିନ ଶାହାଜାହାନପୁରକୁ ଆସନ୍ତି | ଏହି ଲୋକୋ ପାଇଲଟ୍ ରାତିର ବିଶ୍ରାମ ପରେ ସକାଳେ ଟ୍ରେନ୍ ନେଇଯାଆନ୍ତି | ରାତିର ବିଶ୍ରାମ ହୋଇନଥିବା କାରଣରୁ ଲୋକୋ ପାଇଲଟ୍ ସକାଳେ ଟ୍ରେନ୍ ନେବାକୁ ମନା କରିଦେଇଥିଲେ, ନିଦ ସମ୍ପୂର୍ଣ୍ଣ ହେବା ପରେ ସେ ଟ୍ରେନ୍ ନେଇକି ଯାଇଥିଲେ |

ସମ୍ବନ୍ଧିତ ଖବର