ନୂଆଦିଲ୍ଲୀ: ପ୍ରତି ମାସର ଆରମ୍ଭରେ କିଛି ନା କିଛି ବିଭାଗରେ ନୂଆ ନିୟମ ଆସେ । କିଛି ପୁରୁଣା ନିୟମ ନୂଆ ମାସରୁ ବଦଳେ । ସେହିପରି ଜୁଲାଇ ୧ ତାରିଖ ଅର୍ଥାତ ଆଜିଠୁ ଅନେକ କ୍ଷେତ୍ରରେ ନିୟମ ବଦଳିଛି । ଖାସ୍ କରି ଟ୍ରେନ ଯାତ୍ରା କ୍ଷେତ୍ରରେ ହୋଇଛି ବ୍ୟାପକ ପରିବର୍ତ୍ତନ ।
ଆଜିଠୁ ବଢିଛି ଟ୍ରେନ ଟିକଟ ଦର । ଟ୍ରେନ ଯାତ୍ରୀଙ୍କ ପାଇଁ ଏହା ବଡ଼ ଖବର ହୋଇଥିବା ବେଳେ ଏହି ମହଙ୍ଗା ଦର ଯାତ୍ରୀଙ୍କ ପକେଟକୁ ବାଧିବ । ତେବେ ଦୂର ସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍ ଯାତ୍ରୀଙ୍କ କ୍ଷେତ୍ରରେ ଏହି ବର୍ଦ୍ଧିତ ଟ୍ରେନ୍ ଦର ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି ।
ତେବେ ଜୁଲାଇ ମାସ ପହିଲାରୁ ଗ୍ୟାସ୍ ଦର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆସିବ। ସେହିଭଳି ଆପଣ ଯଦି ଟ୍ରେନରେ ଯାତାୟତ କରୁଥିବେ ତେବେ ପରିବର୍ତ୍ତିତ ନିୟମ ବାବଦରେ ଜାଣିବା ଆବଶ୍ୟକ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କ୍ରେଡିଟ କାର୍ଡ, ପାନ କାର୍ଡକୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ବି ହେବ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ ।
ଜୁଲାଇ ୧ରୁ ଏସବୁ ବଦଳିବ..
-୧ ଜୁଲାଇରୁ ଏକ୍ସପ୍ରେସ ଟ୍ରେନର ଏସି ଓ ନନ୍-ଏସି ଟିକଟର ମୂଲ୍ୟ ବୃଦ୍ଧି
-ନନ୍-ଏସି ଓ ଏସି ଟିକଟ ମୂଲ୍ୟ କିଲୋମିଟର ପିଛା ଯଥାକ୍ରମେ ୧ ପଇସା ଓ ୨ ପଇସା ବୃଦ୍ଧି
-୫୦୦ କି.ମି ଯାଏଁ ସେକେଣ୍ଡ କ୍ଲାସ ଟ୍ରେନ୍ ଟିକଟର ଦାମରେ ବୃଦ୍ଧି ହେବନି
-ଏହାଠାରୁ ଅଧିକ ବାଟ ଯାତ୍ରା କଲେ କିଲୋମିଟର ପିଛା ଅଧା ପଇସା ଅଧିକ ଦେବାକୁ ହେବ
-ଆଇଆରସିଟିସି ଆକାଉଣ୍ଟ ସହ ଆଧାର ଲିଙ୍କ୍ ଥିଲେ ଯାତ୍ରୀଙ୍କୁ ତତ୍କାଳ ଟିକଟ ମିଳିବ
-ରେଲୱେ ଏଜେଣ୍ଟ ତତ୍କାଳ ଟିକଟ ବୁକିଂର ପ୍ରଥମ ୩୦ ମିନିଟ୍ ପର୍ଯ୍ୟନ୍ତ ଟିକଟ ବୁକ୍ କରିପାରିବେନି
-ମୋଟ ସିଟର ୨୫% ଆସନ ୱେଟିଂ ଟିକଟ ପାଇଁ ଉପଲବ୍ଧ ରହିବ
-ଟ୍ରେନ୍ ଛାଡିବାର ୮ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକଟ ଚାର୍ଟ ପ୍ରସ୍ତୁତ ହେବ
ଅନ୍ୟପଟେ ଖାଲି ଟ୍ରେନ୍ ନୁହେଁ ଏସବୁ କ୍ଷେତ୍ରରେ ବି ପରିବର୍ତ୍ତନ ଦେଖା ଦେବ । ଯେମିତି,
-ଆଜିଠୁ ନୂଆ ପାନ୍ କାର୍ଡ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ
-ସମସ୍ତ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ ଜରିଆରେ କରାଯିବ
-ଅନଲାଇନ ଗେମିଙ୍ଗ ଆପରେ ମାସିକ ୧୦ ହଜାରରୁ ଅଧିକ ଖର୍ଚ୍ଚ କରୁଥିଲେ ୧% ଅତିରିକ୍ତ ଶୁଳ୍କ ନେବ ଏଚଡିଏଫସି ବ୍ୟାଙ୍କ୍
-ଆଇସିଆଇସିଆଇ ବ୍ୟାଙ୍କ୍ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ ଆଣିଛି
-ମେଟ୍ରୋ ସହରରେ ୫ଥର ଉଠାଣ ପରେ ୨୩ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ହେବ
-ଅଣ ମେଟ୍ରୋ ସହରରେ ୩ ଥରରୁ ଅଧିକ ଉଠାଣ କଲେ ୨୩ ଟଙ୍କାର ଶୁଳ୍କ ଦେବାକୁ ପଡିବ
-ପେଟିଏମ ଭଳି ଥାର୍ଡ ପାର୍ଟି ୱାଲେଟରେ ୧୦ ହଜାରରୁ ଅଧିକ ଟ୍ରାନ୍ସଫର କଲେ ୧% ଶୁଳ୍କ ଦେବାକୁ ପଡିବ
-ଦିଲ୍ଲୀରେ ୧୦ ବର୍ଷର ପୁରୁଣା ଡିଜେଲ ଓ ୧୫ ବର୍ଷର ପୁରୁଣା ପେଟ୍ରୋଲ ଗାଡିକୁ ତେଲ ମିଳିବନି
-ପେଟ୍ରୋଲ ପମ୍ପରେ ଚାଲିଛି ଯାଞ୍ଚ, ରାସ୍ତାରୁ ପୁରୁଣା ଗାଡି ହଟାଇବାକୁ ଏଭଳି ନିୟମ
-ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗ୍ୟାସ୍ ଦର କମିଛି ।