ରାଜ୍ୟ ଚାହିଁଲେ ପ୍ରବାସୀଙ୍କ ପାଇଁ ଟ୍ରେନ୍‌ ବ୍ୟବସ୍ଥା

ବିଭିନ୍ନ ରାଜ୍ୟରୁ ୬୩ ଟ୍ରେନ୍‌ ପାଇଁ ବରାଦ, ସର୍ବାଧିକ ମାଗିଛି କେରଳ

ନୂଆଦିଲ୍ଲୀ : ରାଜ୍ୟମାନେ ଚାହିଁଲେ ଭାରତୀୟ ରେଳ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଜରିଆରେ ପ୍ରବାସୀମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବ। ରେଳବୋର୍ଡ ଅଧ୍ୟକ୍ଷ ଏନେଇ ସବୁରାଜ୍ୟକୁ ପତ୍ର ଲେଖିଛନ୍ତି। ଏଥିସହିତ, କେଉଁ ରାଜ୍ୟ ନିଜ ଲୋକଙ୍କୁ ଫେରାଇ ଆଣିବା ପାଇଁ ଟ୍ରେନ୍‌ ବରାଦ କରିଛନ୍ତି ତାହାର ଏକ ଚିତ୍ର ମଧ୍ୟ ହସ୍ତଗତ ହୋଇଛି।

ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟ ମୋଟ ୬୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପାଇଁ ବରାଦ କରିଛନ୍ତି । ଏହିସବୁ ରାଜ୍ୟଗୁଡ଼ିକ ହେଲା, କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଓ ଜମ୍ମୁ ଓ କଶ୍ମୀର। ୬୩ଟି ଟ୍ରେନ୍‌ ମଧ୍ୟରୁ କେରଳ ସର୍ବାଧିକ ୩୨ଟି ଟ୍ରେନ୍‌ ବରାଦ କରିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ୩ଟି ଟ୍ରେନ୍‌ ବରାଦ କରିଥିବାବେଳେ ଗୁଜୁରାଟ ଗୋଟିଏ, ଜମ୍ମୁ କଶ୍ମୀର ୯ଟି, କର୍ଣ୍ଣାଟକ ୬ଟି, କେରଳ ୩୨ଟି, ତାମିଲନାଡୁ ୧୦ଟି ଏବଂ ପଶ୍ଚିମବଙ୍ଗ ୨ଟି ଟ୍ରେନ ବରାଦ କରିଛନ୍ତି । ଉତ୍ତରପ୍ରଦେଶ ଆବଶ୍ୟକତା ଅନୁସାରେ ବରାଦ କରିବ ।

ରେଳ ବୋର୍ଡ ଅଧ୍ୟକ୍ଷ ମେ’ ୨୯, ଜୁନ ୩ ଓ ୯ ତାରିଖ ଦିନ ରାଜ୍ୟମାନଙ୍କୁ ପତ୍ର ଲେଖିଥିଲେ। ରାଜ୍ୟମାନେ ଚାହିଁଲେ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଯୋଗାଇ ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଥିଲା। ରେଳ ମନ୍ତ୍ରାଳୟ ମଧ୍ୟ ରାଜ୍ୟଗୁଡିକୁ ପତ୍ର ଲେଖି ସେମାନଙ୍କ ଆବଶ୍ୟକତା ମୁତାବକ ଟ୍ରେନ ଓ ରେଳ ଦ୍ଵାରା କେତେ ପ୍ରବାସୀ ଯାତ୍ରା କରିବେ ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଭବିଷ୍ୟତରେ ମଧ୍ୟ ଆବଶ୍ୟକ ହେଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳ ପ୍ରତିଶ୍ରୁତି ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳ ଏପର୍ଯ୍ୟନ୍ତ ୪୨୭୭ଟିରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ପ୍ରାୟ ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । ଗତ ମେ’ ପହିଲାଠାରୁ ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଚଳାଚଳ କରୁଛି ।

ସମ୍ବନ୍ଧିତ ଖବର