ନୂଆଦିଲ୍ଲୀ: ଆପଣ ଯଦି କେବେ ରେଳଯାତ୍ରା କରୁଥିବେ ତେବେ ଅଧିକାଂଶ ସମୟରେ ଲକ୍ଷ୍ୟ କରିଥିବେ ଯେ ଟ୍ରେନ ବିଳମ୍ବରେ ପହଂଚିଥାଏ | ତେବେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ବାସ୍ତବରେ ଏକ ଟ୍ରେନ୍ କେବଳ ସମୟ ପୂର୍ବରୁ ପହଞ୍ଚି ନଥିଲା ବରଂ ନିର୍ଦ୍ଧାରିତ ସମୟଠାରୁ ଦେଢ଼ ଘଣ୍ଟା ପୂର୍ବରୁ ମଧ୍ୟ ଛାଡି ପଳାଇଥିଲା ​​| ଗତକାଲି ମହାରାଷ୍ଟ୍ରର ମନମାଡ ଷ୍ଟେସନରେ ଏଭଳି ଘଟଣା ଘଟିଛି | ଭାସ୍କୋଡାଗାମା-ହଜରତ ନିଜାମୁଦ୍ଦିନ ଗୋଆ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହିତ ଏହା ଘଟିଛି। ଗୋଆ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟର ୯୦ ମିନିଟ ପୂର୍ବରୁ ଗୁରୁବାର ଦିନ ମହାରାଷ୍ଟ୍ରର ମନମାଡ ଷ୍ଟେସନରେ ପହଞ୍ଚିଥିଲା। ଗୋଆ ଏକ୍ସପ୍ରେସ ଷ୍ଟେସନରେ ମାତ୍ର ୫ ମିନିଟ୍ ଅଟକି ରହିଥିଲା ଏବଂ ନିର୍ଦ୍ଧାରିତ ସମୟକୁ ଅପେକ୍ଷା ନକରି ଚାଲିଯାଇଥିଲା । ମିଳିଥିବା ସୂଚନା ମୁତାବକ ମନମାଡ ଷ୍ଟେସନରେ ଏହି ଟ୍ରେନର ନିର୍ଦ୍ଧାରିତ ସମୟ ସକାଳ ୧୦:୩୫ ହୋଇଥିବାବେଳେ ଗୁରୁବାର ଦିନ ଏହା ସକାଳ ୯.୦୫ରେ ପହଞ୍ଚି ସକାଳ ୯.୧୦ ରେ ଛାଡିଥିଲା। ସେତେବେଳେ ମନମାଡରୁ ସେହି ଟ୍ରେନ୍ ପାଇଁ ଟିକେଟ ବୁକ୍ କରିଥିବା ଯାତ୍ରୀମାନେ ଷ୍ଟେସନରେ ମଧ୍ୟ ପହଞ୍ଚି ନଥିଲେ। ଯେତେବେଳେ ଯାତ୍ରୀମାନେ ସକାଳ ୯.୪୫ ରେ ପହଞ୍ଚିଥିଲେ, ସେତେବେଳେ ଜାଣିବାକୁ ପାଇଥିଲେ ଯେ ଟ୍ରେନ ପଳାଇଯାଇଛି |

Advertisment

ଏହାକୁ ନେଇ ୪୫ ଜଣ ଯାତ୍ରୀଙ୍କ ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ | ଏହାପରେ ରେଳବାଇ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା | ସେହି ଯାତ୍ରୀମାନଙ୍କୁ ଭୁସାବଲ ଜଙ୍କସନ ପର୍ଯ୍ୟନ୍ତ ମୁମ୍ବାଇ-ହାଓଡ଼ା ଗୀତାଞ୍ଜଳି ଏକ୍ସପ୍ରେସରେ ଚଢାଯାଇଥିଲା | ବରିଷ୍ଠ ରେଳ ଅଧିକାରୀଙ୍କ କହିବା ଅନୁଯାୟୀ, ଗୀତାଞ୍ଜଳି ଏକ୍ସପ୍ରେସ ମନମାଡରେ ଅଟକେ ନାହିଁ, କିନ୍ତୁ ସକାଳ ୧୧.୨୬ରେ ଏହାକୁ ଅଟକାଇ ୪୫ ଜଣ ଯାତ୍ରୀଙ୍କୁ ପଠାଯାଇଥିଲା | ସେହିପରି ଜାଲଗାଓଁ ଜଙ୍କସନର ଷ୍ଟେସନ ମ୍ୟାନେଜରଙ୍କୁ କୁହାଯାଇଥିଲା ଯେ ଗୀତାଞ୍ଜଳି ଏକ୍ସପ୍ରେସ ନ ପହଞ୍ଚିବା ଯାଏଁ ଗୋଆ ଏକ୍ସପ୍ରେସକୁ ଅଟକାଇ ରଖାଯାଉ | ଏହି ନିର୍ଦ୍ଦେଶ ପରେ ଜାଲଗାଓଁ ଜଙ୍କସନରେ ଗୋଆ ଏକ୍ସପ୍ରେସ ଅଟକି ରହିଥିଲା | ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟ୍ରେନ ଚାଲିଯିବା ଘଟଣାର ତଦନ୍ତ କରିବାକୁ ରେଳ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କେନ୍ଦ୍ରୀୟ ରେଳ ଜୋନ୍ ମୁଖ୍ୟ କହିଛନ୍ତି ଯେ 'ଗୋଆ ଏକ୍ସପ୍ରେସ ମିରାଜ, ପୁଣେ ଦେଇ ମନମାଡ ଜଙ୍କସନରେ ପହଞ୍ଚିଥାଏ | ତେବେ ମାର୍ଗ ପରିବର୍ତ୍ତନ ହୋଇଥିବାରୁ ଗୁରୁବାର ଦିନ ଟ୍ରେନ୍ ରତ୍ନଗିରି, ପନଭେଲ୍, କଲ୍ୟାଣ ଏବଂ ନାଶିକ୍ ରୋଡ୍ ଦେଇ ମନମାଡକୁ ଆସିଥିଲା। ଟ୍ରେନ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ମନମାଡରେ ପହଞ୍ଚିଥିଲା। ଆଉ ଯାତ୍ରୀଙ୍କୁ ଅପେକ୍ଷା ନ କରି ଏହା ଚାଲିଯାଇଥିଲା |