ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି । ଫାଟକବିହୀନ ରେଲୱେ କ୍ରସିଂ ଦେଇ ଏକ ଯାତ୍ରୀବାହୀ ଭ୍ୟାନ୍ ଯାଉଥିବା ବେଳେ ଚଳନ୍ତା ଟ୍ରେନ୍ ସହ ଧକ୍କା ଖାଇବାରୁ ଅତି କମରେ ୧୬ଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଶେଖୁପୁରା ନିକଟରେ ଏହି ଘଟଣା ଘଟିଛି। ୧୬ଜଣ ପ୍ରାଣ ହରାଇଥିବା ବେଳେ୨୯ଜଣ ଆହତ ହୋଇଥିବା ନେଇ ଆକଳନ କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ୧୫ଜଣ ଶିଖ୍ ତୀର୍ଥଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି ।
/sambad/media/post_attachments/eb3b9bbe2ccb54a261a05e18eae61509a2e7446332eb5c4c0f5cd675380125bc.png)
ସୂଚନା ମୁତାବକ, ଶାହା ହୁସେନ୍ ଏକ୍ସପ୍ରେସ କରାଚିରୁ ଲାହୋର ଅଭିମୁଖେ ଯାଉଥିବା ବେଳେ ଫାରୁକାବାଦ ଏବଂ ବେହାଲି ରେଳ ଷ୍ଟେସନ ମଧ୍ୟରେ ଥିବା ଏକ ଫାଟକବିହୀନ ରେଳୱେ କ୍ରସିଂରେ ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଭ୍ୟାନକୁ ଧକ୍କା ଦେଇଥିଲା। ଘଟଣା ପରେ ରେଳ କର୍ତ୍ତୃପକ୍ଷ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ଏବେ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଛି । ରେଳ ଅଧିକାରୀ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଟ୍ରାକଗୁଡିକ ସଫା କରାଯାଇଛି ଏବଂ କାର୍ଯ୍ୟ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ ପାକିସ୍ତାନର ରେଳ ମନ୍ତ୍ରାଳୟ ଦ୍ୱାରା ଜଣେ ଡିଭିଜନାଲ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି। ଏହି ଧକ୍କାରେ ମୃତ୍ୟୁବରଣ କରିଥିବା ଶିଖ ତୀର୍ଥଯାତ୍ରୀମାନେ ନିଜ ସମ୍ପର୍କୀୟଙ୍କୁ ଦେଖାକରି ନାନକାନା ସାହେବରୁ ପେଶୱାରକୁ ଫେରୁଥିଲେ ବୋଲି ଜଣା ପଡ଼ିଛି।