କାନପୁର:ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜ-ଭବାନୀ କାଲିଣ୍ଡି ଏକ୍ସପ୍ରେସକୁ ଲାଇନ୍‌ଚ୍ୟୁଚ୍‌ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିବା ବେଳେ ଲୋକୋପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପୁଲିସ୍‌ ସୂଚନା ମୁତାବକ, ରବିବାର ସକାଳେ କାନପୁରର ମୁଦେରୀ ଗାଁର ଏକ କ୍ରସିଂ ନିକଟରେ କେହି ଜଣେ ଏଲ୍‌ପିଜି ସିଲିଣ୍ଡର୍‌ ରଖି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲା। 

Advertisment

ରଖାଯାଇଥିବ‌ା ଏଲ୍‌ପିଜି ସିଲିଣ୍ଡର୍‌ ସହିତ ଟ୍ରେନ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା। ମାତ୍ର ରେଳ ଡ୍ରାଇଭର୍‌ ତାଙ୍କର ବୁଦ୍ଧି ଖର୍ଚ୍ଚ କରି ତୁରନ୍ତ ଏମର୍ଜେନ୍ସି ବ୍ରେକ୍‌ ପ୍ରୟୋଗ କରିଥିଲେ ଓ ଟ୍ରେନ୍‌ଟି ଅଟକି ଯାଇଥିଲା।

ପୁଲିସ ସୂଚନାନୁସାରେ, କାଲିଣ୍ଡି ଏକ୍ସପ୍ରେସ ହରିଆଣାର ଭବାନୀ ଅଭିମୁଖେ ନିୟମିତ ଯାତ୍ରା କରୁଥିବା ବେଳେ ଏହି ଘଟଣା ପ୍ରାୟ ସକାଳ ୮.୨୦ ସମୟରେ ଘଟିଥିଲା। ଟ୍ରେନ୍‌ଟି ଶିବରାଜପୁର ଦେଇ ଯିବାବେଳେ ଲୋକପାଇଲଟ୍ ରେଳ ଟ୍ରାକ୍ ଉପରେ ପଡ଼ିଥିବା ଏକ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦେଖିଥିଲେ। ତା’ପରେ ସେ ତୁରନ୍ତ ବୁଦ୍ଧି ଖର୍ଚ୍ଚ କରି ‌ଏମର୍ଜେନ୍ସି ବ୍ରେକ୍‌କୁ ମାରିବାରୁ ଦୁର୍ଘଟଣାକୁ ଏଡ଼େଇ ପାରିଥିଲେ। 

ବ୍ରେକ୍‌ ମାରିବାର କିଛି ସମୟ ପରେ ଟ୍ରେନ୍‌ଟି ଅଟକି ଯାଇଥିଲା ଓ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ରେଳ ସୁରକ୍ଷା ବଳ (ଆରପିଏଫ)କୁ ଲୋକୋପାଇଲଟ୍‌ ଘଟଣା ବିଷୟରେ ଜଣାଇ ଥିବାରୁ ଟ୍ରେନଟି ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ସ୍ଥିର ରହିଥିଲା।