ଭଦ୍ର ବ୍ୟକ୍ତି ଭଳି ଟ୍ରେନରେ ଲୁଟୁଥିବା ଚୋରକୁ ଧରିଦେଲା ସ୍ମାର୍ଟୱାଚ

ରାଞ୍ଚି: ପ୍ରଥମେ ବନ୍ଧୁତା ଓ ତାପରେ ସୁଯୋଗ ଦେଖି ମୋବାଇଲ ଲୁଟୁଥିବା ଜଣେ ମୋବାଇଲ ଚୋରକୁ ଧରାଇଦେଇଛି ସ୍ମାର୍ଟୱାଚ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ଝାଡ଼ଖଣ୍ଡର କୋଡର୍ମା ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଦୁଇଦିନ ତଳେ ହାଟିଆ-ଇସଲାମପୁର ଏକ୍ସପ୍ରେସର ଜଣେ ଯାତ୍ରୀ ମୋବାଇଲ ଚୋରି ନେଇ ଅଭିଯୋଗ କରିଥିଲେ | ଆଉ ଅଭିଯୋଗ ପାଇବା ପରେ ରେଲୱେ ପ୍ରୋଟେକ୍ସନ ଫୋର୍ସର କର୍ମଚାରୀ ଟ୍ରେନରେ ପହଞ୍ଚି ଛାନଭିନ କରିଥିଲେ | ଆଉ ଛାନଭିନ ସମୟରେ ଜଣାପଡିଥିଲା ଯେ କେବଳ ଜଣେ ନୁହେଁ ବରଂ ସେହିଦିନ ସେହି ଟ୍ରେନରୁ ୫ ଜଣଙ୍କର ମୋବାଇଲ ଚୋରି ହୋଇଛି | ଏହା ପରେ ପୁଲିସ କର୍ମଚାରୀମାନେ ଲଗାତାର ଖୋଜାଖୋଜି କରିଥିଲେ ବି ମୋବାଇଲ ଚୋରା ବାବଦରେ ଜାଣିପାରିନଥିଲେ |

ତେବେ ମୋବାଇଲ ଚୋରି ହୋଇଥିବା ଜଣେ ଯାତ୍ରୀ ଏକ ସ୍ମାର୍ଟୱାଚ ପିନ୍ଧିଥିଲେ, ଯାହା ତାଙ୍କ ମୋବାଇଲ୍ ସହିତ ସଂଯୁକ୍ତ ଥିଲା | ସ୍ମାର୍ଟୱାଚ୍ ଦ୍ୱାରା ଯେତେବେଳେ ଯାତ୍ରୀଜଣକ ଲଗାତାର ତାଙ୍କ ଫୋନକୁ କଲ କରିଥିଲେ ସେତେବେଳେ ଫୋନ ଜଣେ ଯୁବକଙ୍କ ପାଖରେ ବାଜିଉଠିଥିଲା | ଏହାପରେ ପୁଲିସ ତୁରନ୍ତ ପହଞ୍ଚି ଉକ୍ତ ଯୁବକଙ୍କୁ ଧରି ପଚରାଉଚୁରା କରିଥିଲେ | ଏହାପରେ ଟିକେଟ ନିରୀକ୍ଷକ ଆସି ଯେତେବେଳେ ଉକ୍ତ ଯୁବକଙ୍କ ବାବଦରେ ଛାନଭିନ କରିଥିଲେ ସେତେବେଳେ ତାଙ୍କର ନାମ ଶେଖର ରଂଜନ ବୋଲି ଜଣାପଡିଥିଲା | ଉକ୍ତ ଯୁବକଙ୍କ ଘର ବିହାରର ଗୟା ଜିଲ୍ଲାର ୱାଜିରଗଞ୍ଜ ବୋଲି ଜଣାପଡିଥିଲା ।

ଏହାପରେ ପୁଲିସ ଟିମ୍ ଯେତେବେଳେ ତାଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ, ସେତେବେଳେ ୫ଟି ମୋବାଇଲ ଫୋନ, ଏକ ସୁନା ଲକେଟ୍ ଏବଂ ୯ଟି ଏକ ରୂପା ମୁଦ୍ରା ଏବଂ ନଗଦ ୩୦୦୦ ଟଙ୍କା ଜବତ କରାଯାଇଥିଲା | ଯେତେବେଳେ ପୁଲିସ ଟିମ ତାଙ୍କୁ ପଚରାଉଚରା କଲା, ସେତେବେଳେ ସେ ଦୋଷ ସ୍ୱୀକାର କରି କହିଥିଲେ ଯେ ଟ୍ରେନରେ ଯାତ୍ରୀ ହୋଇ ସେ ଯାନ୍ତି ଏବଂ ସୁଯୋଗ ପାଇଲେ ପର୍ସ ଓ ମୋବାଇଲ ଚୋରି କରନ୍ତି | ଏବେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |

ସମ୍ବନ୍ଧିତ ଖବର