ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ଦେଇ ଯାଏ ଟ୍ରେନ, ଜାଣିଛନ୍ତି କି କେଉଁଠାରେ ଅଛି ଏହି ସ୍ଥାନ

ସ୍ଲୋଭାକିଆ: ମନେ କରନ୍ତୁ ଆପଣ ଷ୍ଟାଡିୟମରେ ବସି ଖେଳ ଦେଖୁଛନ୍ତି ଓ ଆପଣଙ୍କ ସାମ୍ନାରେ ଏକ ଟ୍ରେନ ଯିବି | କଥାଟି ଶୁଣିବାକୁ ଅବାସ୍ତବ ଲାଗୁଥିଲେ ବି ଏକଥା ଏକଦମ ସତ | ବିଶ୍ୱରେ ଏମିତି ଏକ ଷ୍ଟାଡିୟମ ଅଛି ଯାହା ମଧ୍ୟ ଦେଇ ଟ୍ରେନ ଚଳାଚଳ କରିଥାଏ | ଷ୍ଟାଡିୟମରେ ଖଚାଖଚ ଦର୍ଶକଙ୍କ ଭିଡ ମଧ୍ୟରେ ବି ଟ୍ରେନ ଯାଇଥାଏ | ତେବେ ଆମେ ଆଜି ଆପଣଙ୍କୁ ଏହି ଷ୍ଟାଡିୟମ ବାବଦରେ ବିସ୍ତୃତ ଭାବେ କହିବୁ | ସୋସିଆଲ ମିଡିଆରେ ଆପଣ ଦେଖୁଥିବା ଏହି ଭିଡିଓରେ ଏକ ଫୁଟବଲ ଷ୍ଟାଡିୟମରେ ମ୍ୟାଚ୍ ଚାଲିଛି ଏବଂ ହଠାତ୍ ଏକ ଟ୍ରେନ୍ ଆସୁଥିବାର ଦେଖିପାରୁଥିବେ |


ଧୂଆଁ ଛାଡୁଥିବା ଟ୍ରେନ୍ ଷ୍ଟାଡିୟମ୍ ପାର ହୋଇ ଯାଉଥିବାବେଳେ ମ୍ୟାଚ୍ ମଧ୍ୟ ଚାଲିଛି | ଏହି ଷ୍ଟାଡ଼ିୟମଟି ସ୍ଲୋଭାକିଆର ଟାଟ୍ରାନ୍ ସିର୍ନି ବାଲୋଗରେ ରହିଛି, ଯେଉଁଠାରୁ ଟ୍ରେନ୍ ସିର୍ନି ହ୍ରୋନ୍ ରେଳ ଲାଇନ ଷ୍ଟାଡିୟମ ଦେଇ ଯାଇଥାଏ | ବେଳେବେଳେ ଏହି ଲାଇନ ଦେଇ ଏକ ପୁରୁଣା କୋଇଲା ଦ୍ୱାରା ଚାଳିତ ଟ୍ରେନ୍ ଯାଇଥାଏ | ପ୍ରାପ୍ତ ସୂଚନା ଅନୁଯାୟୀ, ୧୯୦୯ ମସିହାରେ, ସିର୍ନି ହ୍ରୋନ୍ ରେଳ ଷ୍ଟେସନ୍ ନିର୍ମାଣ କରାଯାଇଥିଲା | ତେବେ ୧୯୨୭ ମସିହାରେ ଯାତ୍ରୀମାନେ ଏହି ଷ୍ଟେସନରୁ ସିର୍ନି ବାଲୋଗ ଏବଂ ହ୍ରୋନେକକୁ ଯାଉଥିଲେ |

କିନ୍ତୁ ଦୀର୍ଘ ଦିନ ଟ୍ରେନ ଚାଲିବା ପରେ ୧୯୮୨ରେ ଏହି ରେଳ ଲାଇନ ବନ୍ଦ ହୋଇଯାଇଥିଲା | ଏହା ପରେ ଏଠାରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଥିଲେ ବି ରେଳଧାରଣାକୁ ଉଛେଦ କରାଯାଇନଥିଲା | ଏହାର ଦଶ ବର୍ଷ ପରେ ଅର୍ଥାତ୍ ୧୯୯୨ ରେ ଏହାର ମରାମତି କରାଯାଇଥିଲା ଏବଂ ପରେ ଏହା ପର୍ଯ୍ୟଟକମାନଙ୍କ ପାଇଁ ଏକ ଐତିହ ରେଳ ଭାବରେ ଖୋଲା ଯାଇଥିଲା | ବର୍ତ୍ତମାନ ଏଠାରେ ମ୍ୟାଚ୍ ମଧ୍ୟ ଖେଳାଯାଏ ଏବଂ ଟ୍ରେନ୍ ମଧ୍ୟ ଯାତାୟାତ କରେ | ତେବେ ମ୍ୟାଚ ସହ ଟ୍ରେନ ଯାଉଥିବାର ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ସେୟାର କରାଯାଇଥିଲା, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି |

ସମ୍ବନ୍ଧିତ ଖବର